Sun. Mar 8th, 2026

ଅପ୍ରେଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି; କର୍ମୀ ଯିବେ ହିତାଧିକାରୀଙ୍କ ଘରକୁ

167 Views

ଭୁବନେଶ୍ୱର: ସଂପ୍ରତି କରୋନାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସଙ୍କଟଜନକ ସ୍ଥିତିକୁ ଦେଖି ରାଜ୍ୟ ସରକାର ରାଜ୍ୟର ଅଙ୍ଗନବାଡ଼ିଗୁଡ଼ିକୁ ଆସନ୍ତା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟ କାଳରେ ଶିଶୁ ଓ ଗର୍ଭବତୀ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିବେ ନାହିଁ ବରଂ ଅଙ୍ଗନବାଡ଼ି କର୍ମୀମାନେ ନିଜେ ସେମାନଙ୍କ ଘରକୁ ଯାଇ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ ଓ ସାପ୍ରାହିକ ଅଣ୍ଡାନେଇ ପହଞ୍‌ାଇ ଦେଇ ଆସିବେ ବୋଲି ଆଜି କହିଛନ୍ତି ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେହିପରି ରାଜ୍ୟ ସରକାରଙ୍କର ଅଧୀନରେ ଥବା ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ରାବାସଗୁଡ଼ିକୁ ମଧ୍ୟ ଆସନ୍ତା ୨୫ ତାରିଖ ଠାରୁ ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଏହିସବୁ ଛାତ୍ରାବାସମାନଙ୍କରେ ରହୁଥିବା ୫ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ ୩ମାସର ଛାତ୍ରବୃତ୍ତି ଅଗ୍ରୀମ ଆକାରରେ ଦିଆଯାଇ ସାରିଛି ଓ ଛାତ୍ରଛାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସଂପର୍କରେ ଜଣାଇ ଦିଆଯାଇଛି।

ଏତଦ୍‌ ବ୍ୟତୀତ କରୋନାକୁ କେନ୍ଦ୍ରକରି ଯଦି କିଛି ଆପତ୍‌କାଳୀନ ସ୍ଥିତି ଉତ୍ପନ୍ନ ହୁଏ, ତେବେ ତାହାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ଗ୍ରାମ ପଞ୍ଚାୟତରେ ୭୨୭୬ଟି ଅସ୍ଥାୟୀ ଚିକିତ୍ସାଳୟ ସ୍ଥାପନ କରାଯିବା ସହ ସେଠାରେ ସମସ୍ତ ପ୍ରକାରର ଅବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରାଜ୍ୟ ସରକାର କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

By amfnews

Related Post