Sat. Mar 7th, 2026

ଅପରାଧର ନୂଆ ଚେହେରା ‘ସାପଗ୍ୟାଙ୍ଗ୍‌’ : ରଣା ସାପ ଚୋରା କାରବାରରୁ ଦୁର୍ଦ୍ଦାନ୍ତ ଅପରାଧୀ

182 Views

ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକର କଣ୍ଡିରା ଗାଁରେ ଗତକାଲି ଅପରାଧୀ ଓ ଗ୍ରାମବାସୀ ମୁହାଁମୁହିଁ ହେବାପରେ ସାପଗ୍ୟାଙ୍ଗ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରଣାସାପ ଚୋରା କାରବାର କରୁ କରୁ ଏହି ଦୁର୍ଦ୍ଦାନ୍ତ ସାପ ଗ୍ୟାଙ୍ଗ ସୃଷ୍ଟି ହୋଇଥିବା କୁହାଯାଉଛି। ୧୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମେତ ୧୫୦ ଯୁବକଙ୍କୁ ନେଇ ଏହି ଗ୍ୟାଙ୍ଗର ଏକ ହ୍ବାଟ୍ସଆପ ଗ୍ରୁପ ଚାଲିଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ କଲେଜ ଛାତ୍ର ବୋଲି ଜଣାପଡିଛି।

ପୁଲିସର ପ୍ରାଥମିକ ଛାନଭିନରୁ ମିଳିଥିବା ସୂଚନା ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରୁ ରଣା ସାପ ଧରି ରାଜନଗର ଅଂଚଳର କିଛି ଯୁବକ ରାଜ୍ୟବାହାରେ ବିକ୍ରି କରିଥା’ନ୍ତି। ବଡ଼ ରଣା ସାପକୁ ୫ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି କରିଥାନ୍ତି। ସାପ ଚାଲାଣ କରୁ କରୁ ଗାଁ ଗହଳିରେ ଛୋଟ ଛୋଟ ଚୋରି ଓ ବାଇକ ଚୋରିରେ ସାମିଲ ହୋଇଥିଲେ ଏହି ଗ୍ୟାଙ୍ଗର ଯୁବକ। ଜିଲ୍ଲାର ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ମିଶି ସେମାନଙ୍କ ସହାୟତାରେ ଚୋରା ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥିଲେ। ପ୍ରାୟ ବର୍ଷେ ହେବ ଏହି ଗ୍ୟାଙ୍ଗ ଅଧିକ ସକ୍ରିୟ ହେବା ସହ ଗୋଟିଏ ହ୍ବାଟ୍ସଆପ ଗ୍ରୁପ ପ୍ରସ୍ତୁତ କରି ବିଭିନ୍ନ ଗାଁର ଯୁବକମାନଙ୍କୁ ସାମିଲ କରିଥିଲେ।

ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ଭୁବନେଶ୍ୱରର କିଛି ଅପରାଧି ଓ ଯୁବକ ଏହି ଗ୍ରୁପରେ ସାମିଲ ହୋଇଥିଲେ। ଏହି ଗ୍ୟାଙ୍ଗର ଯୁବକମାନେ ବାଉଁଶମୂଳ ବଜାର, କଣ୍ଡିରା ପଂଚାୟତର ପଦ୍ମନାଭପୁର ଠାରେ ଥିବା ଚିଙ୍ଗୁଡିଘେରି, କୃଷ୍ଣନଗର, ପେଣ୍ଠ ବେଳାଭୂମି ଓ କୁରୁଂଟି ପଂଚାୟତର ପଶ୍ଚିମଭେଡା ଠାରେ ଥିବା ଏକ ଘରେ ଆଡ୍ଡା ଜମାଉଥିଲେ। ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ଠାରେ ଜିଲ୍ଲା ବାହାରର ଅପରାଧୀଙ୍କ ସହ ଏକାଠି ହେଉଥିଲେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଚୋରି, ଡକାୟତି କରିଥାନ୍ତି। ବିଶେଷକରି ବାଇକ ଓ କାର ଚୋରିରେ ଅଧିକ ସଂପୃକ୍ତ ଥିବା କୁହାଯାଉଛି।

By amfnews

Related Post