Fri. Mar 6th, 2026

ଅନ୍ତଃସତ୍ତ୍ବା ହାତୀକୁ ବିସ୍ଫୋରକ ଭରା ସପୁରି ଖୋଇଥିବା ଗ୍ରାମବାସୀଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କଲା କେରଳ

425 Views

ତିରୁବନନ୍ତପୁରମ୍‌: ୧୫ ବର୍ଷୀୟ ଜଙ୍ଗଲୀ ଅନ୍ତଃସତ୍ତ୍ବା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରିଥିବା କଥା ଗୁରୁବାର ଦିନ କହିଛି।

ବୁଧବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଥିଲେ ଯେ ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ମନ୍ନରକାଡ଼ ବନ ଉପଖଣ୍ଡରେ ଘଟିଥିବା ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଏହି କାମ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। ଏଥିରେ ସମ୍ପୃକ୍ତ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଏଫ୍‌ଆଇଆର୍ ମଧ୍ୟ ରେଜିଷ୍ଟ୍ରି କରାଯାଇଛି।

ଏହି ଘଟଣା ସଂକ୍ରାନ୍ତରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ମଧ୍ୟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ବୁଧବାର ଦିନ ସେ ଦିଲ୍ଲୀରେ କହିଛନ୍ତି, କେରଳରେ ହାତୀଟିଏ ମରିଥିବା ଘଟଣାକୁ ପରିବେଶ ମନ୍ତ୍ରାଳୟ ଗମ୍ଭୀରତାର ସହ ଗ୍ରହଣ କରିଛି। ଘଟଣାର ପୂର୍ଣ୍ଣ ବିବରଣୀ ପାଇଁ କହିଛି। ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହାତୀର ଦୁର୍ଦ୍ଦଶା ସମ୍ବନ୍ଧୀୟ ଏହି ହୃଦୟ ବିଦାରକ ଦୃଶ୍ୟକୁ ଓ ଘଟଣାକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ ନୀଲାମ୍ବୁର ସେକ୍‌ସନ୍ ଫରେଷ୍ଟ୍ ଅଫିସର୍ ମୋହନ କୃଷ୍ଣନ୍।

ସେ ଲେଖିଥିଲେ, ଖାଦ୍ୟ ଅନ୍ବେଷଣରେ ବୁଲୁ ବୁଲୁ ହାତୀଟି ଗ୍ରାମାଞ୍ଚଳକୁ ଚାଲିଯାଇଥିଲା। ସେଠାରେ କେତେକ ଲୋକେ ବାଣ ଭରାଯାଇଥିବା ସପୁରିଟିଏ ତାକୁ ଖାଇବାକୁ ଦେଇଥିଲେ। (ଏଠାରେ ସୂଚାଇ ଦିଆଯାଇ ପାରେ କି, ବଣୁଆ ବାର୍ହାମାନଙ୍କୁ ଘଉଡ଼ାଇବାକୁ ସେ ଅଞ୍ଚଳରେ ଏଇଟା ସାଧାରଣ କୌଶଳ।) ସପୁରିଟି ଖାଇବା ବେଳେ ହାତୀ ପାଟିରେ ବାଣ ଫୁଟିଲା ଏବଂ ତାକୁ ଭୀଷଣ କଷ୍ଟ ହେଲା। ପାଟି କ୍ଷତାକ୍ତ ହେବାରୁ ଆଉ କିଛି ଖାଇ ନ ପାରି ହାତୀଟି ଭୋକ ଉପାସରେ ଏତେତେଣେ ଘୂରିବୁଲିଲା। ଖୁବ୍ ଯନ୍ତ୍ରଣା ହେଉଥିଲେ ବି ଭଦ୍ରା ହାତୀଟି କୌଣସି ଗ୍ରାମବାସୀଙ୍କୁ ମାରି ନ ଥିଲା କି, ଗୋଟିଏ ବି ଘର ଭାଙ୍ଗି ନ ଥିଲା।

ଯନ୍ତ୍ରଣା ଉପସମ ପାଇଁ ହାତୀଟି ଶେଷରେ ଯାଇ ଭେଲ୍ଲିୟାର୍ ନଦୀରେ ଛିଡ଼ା ହୋଇ ରହିଲା। ନଈରେ ହିଁ ତା’ର ମୃତ୍ୟୁ ଘଟିଲା।

 

By amfnews

Related Post