Fri. Mar 6th, 2026

ଅନୁପ୍ରବେଶ ଉଦ୍ୟମ କରୁଥିବା ୩ ଆତଙ୍କବାଦୀ ସେନା ଗୁଳିରେ ମୃତ

374 Views

ନୂଆଦିଲ୍ଲୀ: ଭାରତ ଭିତରକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ସେନା ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ ଓ କଶ୍ମୀରର ବାରମୁଳା ଜିଲ୍ଲାର ବୋନିୟାର ନିକଟରେ ଏହି ଆତଙ୍କବାଦୀମାନେ ଏଲଓସି ପାର ହୋଇ ଭାରତ ଭିତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତର ସତର୍କ ସେନାଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ସେନା ପକ୍ଷରୁ କୁହାଯାଇଛି।
ଯଦିଓ ଏ ପର୍ଯ୍ୟନ୍ତ ପୁଲିସ ମୃତ ଆତଙ୍କବାଦୀମାନଙ୍କ ମୃତଦେହ ଜବତ କରି ପାରି ନାହିଁ, ତଥାପି ସେନା ସୂତ୍ରରୁ କୁହାଯାଇଛି ଯେ ଗୁରୁବାର ସନ୍ଧ୍ୟାରେ ଉରି ସେକ୍ଟରର ବୋନିୟାର ଜଙ୍ଗଲରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଏଥିରେ ୩ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ତେଣୁ ମୃତଦେହଗୁଡ଼ିକୁ ଠାବ କରିବା ପାଇଁ ଅଞ୍ଚଳରେ ଖାନତଲାସୀ ଜାରି ରହିଛିି। ଏହି ସର୍ଚ୍ଚ ଅପରେସନ ସମୟରେ ୪ଟି ଏକେ ୪୭ ଜବତ କରାଯାଇଛି। ଏହା ଦ୍ୱାରା ଉରି ସେକ୍ଟରରେ ଅନ୍ୟ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇ ପାରିଛି ବୋଲି ସେନା ପକ୍ଷରୁ କୁହାଯାଇଛିି।
ସେନାପକ୍ଷରୁ କୁହାଯାଇଛି ଯେ ଏଲଓସିର ଟୌର୍ଣ୍ଣା ନିକଟରେ (ବୋନିୟାର ଜଙ୍ଗଲରେ) କେତେକ ଅନୁପ୍ରବେଶ କାରୀଙ୍କ ଗତିବିଧିକୁ ସେଠାରେ ମୂତୟନ ସେନା ନୀରିକ୍ଷଣ କରିଥିଲେ। । ପରେ ସେମାନଙ୍କୁ ଖୋଜିବା ପାଇଁ ସେନାର ଏକ ଟିମ୍‌ ଯିବାରୁ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ। ଜବାବରେ ସେନା ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। ଏଥିରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

By amfnews

Related Post