Fri. Mar 6th, 2026

ଅଧା କଟକ ଅନ୍ଧାର : ଜଣେ ଯନ୍ତ୍ରୀଙ୍କ କାନ୍ଧରେ ୩୦ ହଜାର ଏଲଇଡି ମରାମତି ଦାୟିତ୍ବ

507 Views

କଟକ : କଟକ ମହାନଗର ଅଞ୍ଚଳର ଅଧା ରାସ୍ତା ଅନ୍ଧାର। ରାତି ଅଧରେ ତ ସ୍ଥିତି ଆହୁରି ସଂଗୀନ। ରାସ୍ତାରେ ଲାଗିଥିବା ଆଧୁନିକ ଏଲ୍‌ଇଡି ଲାଇଟ ଜଳୁନି। ରକ୍ଷଣାବେକ୍ଷଣ ପାଇଁ ଜଣେ ଯନ୍ତ୍ରୀଙ୍କ ଦାୟିତ୍ବରେ ୩୦ ହଜାରରୁ ଅଧିକ ଏଲ୍‌ଇଡି ଲାଇଟ ରହିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। କିନ୍ତୁ ଅଚଳ ଲାଇଟ ସଜାଡ଼ିବା ଦିଗରେ ସିଏମ୍‌ସି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି।

କଟକ ସହରକୁ ଉଜ୍ବଳ ଏଲଇଡି ଆଲୋକରେ ଆଲୋକିତ କରିବା ପାଇଁ ୨୦୧୭ ଡିସେମ୍ବର ୩୦ ତାରିଖରେ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ସିଏମ୍‌ସିକୁ ୧୬ ହଜାର ୬୯ଟି ଲାଇଟ ଆସିଥିବାବେଳେ ପରେ ଆଉ ୧୪ ହଜାର ଲାଇଟ ଯୋଗାଇ ଦିଆଯାଇଥିଲା। ୧୦୦ଟି କାର୍ଯ୍ୟ ଦିବସରେ ପ୍ରକଳ୍ପ ଶେଷ ପାଇଁ ନିର୍ଦ୍ଦେଶ ରହିଥିଲା। ତେବେ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଡେନମାର୍କର ନିଭ ଏର୍ନଜୀକୁ ଦିଆଯାଇଥିଲା। ଚୁକ୍ତିନାମା ଅନୁଯାୟୀ, ୭ ବର୍ଷ ପାଇଁ କମ୍ପାନି ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇବ ଏବଂ ଏଥିପାଇଁ ସିଏମ୍‌ସି ବର୍ଷକୁ ୩୦ କୋଟି ଟଙ୍କା କମ୍ପାନିକୁ ଦେବ। କିନ୍ତୁ ବହୁ ବିଳମ୍ବରେ ପ୍ରକଳ୍ପ ଶେଷ ହୋଇଥି‌ଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ସିଏମ୍‌ସିରେ ଏଲଇଡି ଲାଇଟ ଏବେ ଠିକ ଭାବେ କାମ କରୁ ନ ଥିବା ଅଭିଯୋଗ ହୋଇଛି।

ଏହାର ରକ୍ଷଣାବେକ୍ଷଣ ପାଇଁ ସିଏମସି ପକ୍ଷରୁ ଦୁଇ ଜଣ ଯନ୍ତ୍ରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯନ୍ତ୍ରୀ ଗତ ତିନି ମାସ ହେବ ଛୁଟିରେ ଅଛନ୍ତି। ଫଳରେ ଜଣଙ୍କ ହାତରେ ସିଏମସିର ସମ୍ପୂର୍ଣ୍ଣ ଦାୟିତ୍ବ ରହିଛି। ଅନ୍ୟପଟରେ ସିଏମସିରେ ଏବେ ଆବଶ୍ୟକୀୟ କର୍ମଚାରୀ ନ ଥିବା ଜଣାପଡିଛି। ସେହିପରି ଯଥେଷ୍ଟ ସଂଖ୍ୟକ ଖୁଣ୍ଟ ନ ଥିବାରୁ ଏଲଇଡି ଲଗାଯାଇପାରୁ ନାହିଁ। ଅନ୍ୟପଟେ ସମସ୍ତ ଖୁଣ୍ଟରେ ସେନସର ଲଗାଯିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଏଯାବତ ତାହା କାର୍ଯ୍ୟକାରୀ ହୋଇ ନ ପାରି ଅଧାପନ୍ତରିଆ ହୋଇ ପଡି ରହିଛି।

By amfnews

Related Post