Sat. Mar 7th, 2026

ଅଣ୍ଡା ଦେବାକୁ ଅାସିଲେଣି ଅଲିଭ ରିଡ୍‌ଲେ

319 Views

କେନ୍ଦ୍ରାପଡ଼ା: ଓଡ଼ିଶା ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଶହ ଶହ ମାଇଲ୍‌ ସମୁଦ୍ର ପାର ହୋଇ ପହଞ୍ଚି ଗଲେଣି ଅତିଥି। ଆଉ ବଂଶବୃଦ୍ଧି ଲାଗି ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥାରେ କଇଁଛଙ୍କ ଆଗମନ ହୋଇଥିବା ବେଳେ ପୁରୀର ଅସ୍ତରଙ୍ଗ ଅଞ୍ଚଳରେ କଇଁଛଙ୍କ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ନଭେମ୍ବର ପହିଲାରୁ ମାଛଧରା ଉପରେ କଟକଣା ଜାରି ହୋଇଛି।

କଇଁଛଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାବୁବାଲି ଓ ଅଗରନାସିରେ ୨ଟି ସ୍ପିଡ୍ ବୋଟ୍ ସହ ୩୪ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ତେବେ କଇଁଛଙ୍କ ସୁରକ୍ଷା ନେଇ ପରିବେଶବିତ୍ ସନ୍ଦେହ ପ୍ରକଟ କରିଛନ୍ତି। ବାରମ୍ବାର କଟକଣା ସତ୍ତ୍ୱେ କଇଁଛଙ୍କ ମୃତ୍ୟୁ ହେଉଥିବାରୁ ଆଇନ୍‌ର ସଂଶୋଧନ ଆବଶ୍ୟକ ଥିବା ପରିବେଶବିତ୍‌ କହିଛନ୍ତି।

ସେହିପରି ପୁରୀ ଜିଲ୍ଲା ଉପକୂଳ ସମୁଦ୍ରବେଳାରେ ମଧ୍ୟ କଇଁଛଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କଇଁଛଙ୍କ ବର୍ତ୍ତମାନ ମିଳନ ସମୟ ହୋଇଥିବାରୁ ସମୂଦ୍ର ଉପକୂଳକୁ କଇଁଛ ଆସିବା ସମ୍ଭାବନା ରହିଛି। ଏଥିପାଇଁ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ବେଆଇନ୍‌ ମାଛମରାକୁ ରୋକିବାକୁ ସାମୁଦ୍ରିକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

By amfnews

Related Post