କଟକ : ଆଜି ରାତି ପ୍ରାୟ ୯ଟା ବେଳେ ମାତାମଠ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ନିଶାସକ୍ତ ଅବସ୍ଥା କାର୍ ଚଳାଉଥିବା ଜଣେ ଚାଳକ ଆଗରେ ଯାଉଥିବା ଏକ ଅଟୋକୁ ପିଟିବା ଯୋଗୁଁ ଅଟୋଟି ଚାରିଗଡ଼ା ମାରି ପ୍ରାୟ ୩୦ଫୁଟ୍ ଦୂରରେ ପଡ଼ିଥିଲା। ଅଟୋରେ ଥିବା ଗୋଟିଏ ପରିବାରର ୪ ଜଣଙ୍କ ସମେତ ସମସ୍ତ ୬ଜଣ ଗୁରୁତର ଆହତ ହୋଇଥିଲେ। ମଙ୍ଗଳାବାଗ ପୁଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ସେମାନଙ୍କ ଭିତରୁ ଅଟୋ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଖବର ମୁତାବକ, କଟକକୁ ଆସିଥିବା ପୀରବଜାର ଅଞ୍ଚଳର ଏକ ପରିବାର ଓଆର୍-୦୨-ବିଭି-୭୧୪୩ ନମ୍ବର ଅଟୋରେ ମହାନଦୀ ରିଂ-ବନ୍ଧ ଦେଇ କ୍ୟାଣ୍ଟନ୍ମେଣ୍ଟ୍ ଥାନା ପଟୁ ଶିଖରପୁର ଦିଗକୁ ଫେରୁଥିଲେ। ରାତି ପ୍ରାୟ ୯ଟା ସମୟରେ ସେମାନେ ମାତାମଠ ଛକ ନିକଟରେ ଯାଉଥିବା ବେଳେ ପଛରୁ ଆସୁଥିବା ଓଆର୍-୦୫-ଏଏନ୍-୪୦୪୨ ନମ୍ବର ହ୍ୟୁଣ୍ଡାଇ କାର୍ ଅଟୋକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ବଡ଼ ଧରଣର ଥିଲା ଯେ ଅଟୋଟି ଚାରିଗଡ଼ା ମାରି ୩୦ଫୁଟ୍ ଦୂରରେ ପଡ଼ିଥିଲା। ଅଟୋରେ ଥିବା ୨ଜଣ ମହିଳା, ୨ଜଣ ଶିଶୁ, ଜଣେ ଯୁବକ ଓ ଅଟୋ ଚାଳକ ଗୁରୁ୍ତର ଆହତ ହୋଇଥିଲେ।
ଖବର ପାଇ ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଦୁର୍ଘଟଣା ଘଟାଇଥିବା କାର୍ ଚାଳକ କଲ୍ୟାଣନଗର ଅଞ୍ଚଳର ଅଙ୍କିତ ପରିଡ଼ାଙ୍କୁ ପୁଲିସ ଥାନାକୁ ଆଣି ‘ବ୍ରେଥ୍ ଆନାଲାଇଜ୍’ ସହାୟତାରେ ଯାଞ୍ଚ କରିବାରେ ସେ ନିଶାସକ୍ତ ଥିବା ଜଣା ପଡ଼ିଥିଲା। ଏ ସଂକ୍ରାନ୍ତରେ ଆଇଆଇସି ଶ୍ରୀ ମହାପାତ୍ର କହିଛନ୍ତି ଯେ, କାର୍ ଚାଳକ ନିଶାସକ୍ତ ଥିବାରୁ ତାଙ୍କୁ ଅଟକ ରଖାଯାଇଛି। ଆସନ୍ତାକାଲି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।