Thu. Dec 26th, 2024

ଅଘୋଷିତ ବିଦ୍ୟୁତକାଟ ନେଇ ବିଭିନ୍ନ ମହଲରେ ଅସନ୍ତୋଷ

By amfnews Oct 23, 2018 #Featured
158 Views

ରାଉରକେଲା, ୨୨ା୧୦ :  ଇସ୍ପାତ ମାର୍କେଟରେ ଅଘୋଷିତ ବିଦ୍ୟୁତକାଟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପାର୍ବଣ ସମୟରେ ଲୋକେ ମାର୍କେଟକୁ ଆସି ଆଜି ବେଶ୍ ହନ୍ତସନ୍ତ ହୋଇଥିବା ବେଳେ କିଛି ଲୋକ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଲୋକଙ୍କ ଅଭିଯୋଗ ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଇସ୍ପାତ ମାର୍କେଟରୁ ଭସାଣୀ ପାଇଁ ଦୁର୍ଗା ମା’ଙ୍କୁ ଲୋକେ ମେଲାଣି ଦେଇଥିଲେ । ମେଢ଼ ଶୋଭାଯାତ୍ରା ମାର୍କେଟ ପରିକ୍ରମା  କରି ରିଂ ରୋଡ଼ରେ ବାହାରି ଯାଇଥିଲା ।

କିନ୍ତୁ ଏହାର କିଛି ସମୟ ପରେ ହଠାତ୍ ମାର୍କେଟ ଅନ୍ଧାର ହୋଇ ଯାଇଥିଲା । ଏହି ସମୟରେ ମାର୍କେଟରେ ବହୁ ଲୋକଙ୍କ ସମାଗମ ହୋଇଥିଲା । କିଛି ବ୍ୟବସାୟୀ ମେଢ଼ ଶୋଭାଯାତ୍ରାରେ ବାହାରି ଯାଇଥିଲେ । ଆଉ କିଛି ଲୋକ ଦୋକାନ ଖୋଲି ଦେଇଥିଲେ । ଦୋକାନୀମାନେ ଯେତିକି ଅସୁବିଧାରେ ପଡିନଥିଲେ ତା’ଠାରୁ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗ୍ରାହକମାନେ । ପୂଜା ସମୟରେ କିଣା ବିକା ସମେତ ବିଭିନ୍ନ କାମରେ ଆସୁଥିବା ଲୋକେ ପ୍ରାୟ ୨ ଘଣ୍ଟାକାଳ ଅନ୍ଧାର ଭିତରେ ଘାଣ୍ଟି ହେଉଥିଲେ ।

ମେଢ ଭସାଣୀ ପରେ ବିଦ୍ୟୁତ୍ କାଟିବାର କ’ଣ କାରଣ ଥିବା ନେଇ ବିଭିନ୍ନ ଲୋକେ ପ୍ରଶ୍ନ କରିଥିଲେ । ଏ ସମ୍ପର୍କରେ ଲୋକମାନେ ଗଣମାଧ୍ୟମରେ ସୂଚନା ଦେଇଥିଲେ । ଦାୟିତ୍ୱରେ ଥିବା ବିଦ୍ୟୁତ୍ ବିଭାଗ ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାକୁ ସେ ଫୋନ ଉଠାଇନଥିଲେ । ତେବେ ଏଭଳି ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

By amfnews

Related Post