Fri. Mar 6th, 2026

ଅଗଷ୍ଟ ୭ ପରିବହନ ଶ୍ରମିକଙ୍କ ୨୪ ଘଣ୍ଟିଆ ଧର୍ମଘଟକୁ ସଫଳ କରିବା ପାଇଁ ଶ୍ରମିକଙ୍କ ମିଳିତ ବୈଠକ

218 Views

ରାଉରକେଲା, ୪ା୮  : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶର ପରିବହନ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦ କୋଟି ପରିବହନ ଶ୍ରମିକମାନଙ୍କୁ କ୍ରୀତଦାସ କରିବା ପାଇଁ ମୋଟର ଯାନ ସଂଶୋଧନ ବିଲ୍-୨୦୧୭ ସଂସଦରେ ଗୃହୀତ କରିଛନ୍ତି । ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ । ଏହାଦ୍ୱାରା କେବଳ ପରିବହନ ଶ୍ରମିକ ନୁହନ୍ତି ବରଂ ଏ କ୍ଷେତ୍ର ସହ ଜଡିତଥିବା ଲକ୍ଷ ଲକ୍ଷ ଛୋଟ, ମଧ୍ୟବିତ୍ତ ମାଲିକ, ସାଧାରଣ ଜନତା ଜେଲ୍ ଓ ଜୋରିମାନା ଭଳି ଅନେକ ଅସୁବିଧାର ସମ୍ମୁଖୀନ ହେବେ ।

ଏହି ଜନ ବିରୋଧି ତଥା ଶ୍ରମିକ ବିରୋଧି ବିଲ୍କୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଓଡିଶା ରାଜ୍ୟ ସରକାର ପରିବହନ ଶିଳ୍ପରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ କଳା ଏସ୍ମା ଆଇନ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବି ସହ ରାଉରକେଲା ଆର୍ଟିଓ ଅଫିସ ଦ୍ୱାରା ଫିଟନେସ ବାବଦରେ ବିଳମ୍ବ ଫାଇନ ବାବଦକୁ ରାଜ୍ୟ ସରକାରଙ୍କ ବାବଦକୁ ୫୦୦ ଟଙ୍କା ଓ କେନ୍ଦ୍ର ସରକାରଙ୍କ ବାଦରେ ୫୦ ଟଙ୍କା ଆଦାୟକୁ ବିରୋଧ ସହ ପାସେଞ୍ଜର ଅଟୋରେ ମାଲ ପରିବହନ ଓ ମାନବାହୀ ଅଟୋରେ ପାସେଞ୍ଜର ପରିବହନ ବନ୍ଦ କରିବା, ଓଲା, ଉବେରକୁ ବିଭିନ୍ନ ସ୍ଥାନରେ ବିରୋଧ କରି ଆସନ୍ତା ଅଗଷ୍ଟ ୭ ତାରିଖ ସର୍ବଭାରତୀୟ ପରିବହନ ଶ୍ରମିକ ଫେଡେରେସନ ଓ ସିଆଇଟିୟୁ ଡାକରାରେ ୨୪ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟକୁ ରାଉରକେଲା ତଥା ସୁନ୍ଦରଗଡ ଜିଲାରେ ସଫଳ କରିବା ପାଇଁ ଏକ ମିଳିତ ବୈଠକ ସୁନ୍ଦରଗଡ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନିବସ୍ ଆସୋସିଏସନ, ସୁନ୍ଦରଗଡ ଅଟୋ କର୍ମଚାରୀ ୟୁନିୟନ ଓ ରାଉରକେଲା ଟ୍ୟାକ୍ସି କର୍ମଚାରୀ ସଂଘ ପକ୍ଷରୁ ଅଜୟ ଶର୍ମାନଙ୍କ ଅଧ୍ୟକ୍ଷତାରେ ନୂଆ ବସ୍ଷ୍ଟାଣ୍ଡ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି, ସମ୍ପାଦକ ରାଜକିଶୋର ପ୍ରଧାନ, ବସ୍ ଶ୍ରମିକ ନେତା ଅକ୍ଷୟ ମହାନ୍ତ, ଜୁବେର ଖାଁ, ମିନିବସ୍ ନେତା ଅରୁଣ ମହାରଣା, ବଜରଙ୍ଗି ଚୌଧୁରୀ, ଅଟୋ ଶ୍ରମିକ ନେତା ରାଜାମଣି, ସନ୍ତୋଷ ସିଂହ, ଅନୀଲ କୁମାର, ରମେଶ ଯାଦବ, ପ୍ରଦୀପ କୁମାର, ଟ୍ୟାକ୍ସି କର୍ମଚାରୀ ନେତା ମେଜର ସିଂ, ରାମୁ ସିଂ, ଚନ୍ଦ୍ରଶେଖର ପ୍ରମୁଖଙ୍କ ସମେତ ଶତାଧିକ ପରିବହନ କର୍ମଚାରୀ ସାମିଲ୍ ଥିଲେ ।

Related Post