Thu. Mar 12th, 2026

ଅଗଷ୍ଟ ୧୫ରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଗାନ୍ଧୀ ସ୍ମୃତି ପ୍ରଦର୍ଶନୀ

189 Views

ଭୁବନେଶ୍ବର : ଆସନ୍ତା ୧୫ ତାରିଖ ୭୩ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟସ୍ତରୀୟ ଗାନ୍ଧୀ ସ୍ମୃତି ପ୍ରଦର୍ଶନୀ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ।

ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ହେଉଛି। ସାରା ଦେଶରେ ଏହି ସମାରୋହ ପାଳନ ହେବା ସହ ୨୦୧୮ ଅକ୍ଚୋବର ୨ ତାରିଖରୁ ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛନ୍ତି। ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ବହୁବାର ଓଡ଼ିଶା ଆସି ଓଡ଼ିଶାବାସୀଙ୍କୁ ସ୍ବାଧୀନତା ସଂଗ୍ରାମରେ ଯୋଗଦେବାକୁ ଅନୁପ୍ରାଣୀତ କରିଥିଲେ। ଏହି ଜାତୀୟ ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କର ଅବଦାନ ମଧ୍ୟ ଅନନ୍ୟ ଥିଲା। ରାଜ୍ୟର ବହୁ ସ୍ଥାନରେ ଗାନ୍ଧୀଙ୍କ ସ୍ମୃତି ରହିଛି।

ଦେଶକୁ ସ୍ବାଧୀନ କରିବାରେ ଗାନ୍ଧୀଙ୍କ ଅତୁଳନୀୟ ଅବଦାନ କଥା ସମସ୍ତେ ଜାଣନ୍ତି। ଓଡ଼ିଶାରେ ଥିବା ଗାନ୍ଧିଜୀଙ୍କ ସ୍ମୃତିକୁ ଉଜ୍ଜୀବିତ ଏବଂ ଅବିସ୍ମରଣୀୟ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧୀ ସ୍ମୃତି ପ୍ରଦର୍ଶନୀ ରାଜଧାନୀର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯିବ। ଅଗଷ୍ଟ ୧୫ ତାରିଖ ଦିନ ପୂର୍ହାହ୍ନରେ ଏଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ।

ଏହି ପ୍ରଦର୍ଶନୀରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ମଧ୍ୟ ଅଂଶ ଗ୍ରହଣ କରିବେ। ପ୍ରଦର୍ଶନୀରେ ଗାନ୍ଧୀଙ୍କ ଫଟୋଚିତ୍ର ସହ ତାଙ୍କ ଦ୍ବାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ତାଙ୍କ କର୍ମକୃତ୍ତିର ନମୁନା ବି ସ୍ଥାନ ପାଇବ। ଏହାସହିତ ଓଡ଼ିଶାର ସଂଗ୍ରାମୀ ବରପୁତ୍ରମାନଙ୍କର ଅବଦାନ ସମ୍ପର୍କିତ ପୁସ୍ତକ, କ୍ୟାସେଟ୍ ପ୍ରଦର୍ଶନ କରାଯିବ। ଏଲ୍.ଇ.ଡି ଭିଡିଓ ଵାଲ୍ ମାଧ୍ୟମରେ ଗାନ୍ଧୀଙ୍କ ସ୍ମୃତି ଏବଂ ‘ଗାନ୍ଧିଜୀ ଓ ଓଡ଼ିଶା’ ସମ୍ପର୍କିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ଦିନସାରା ଜନସାଧରଣଙ୍କ ପାଇଁ ଖୋଲାରହିବ।

By amfnews

Related Post