Tue. Mar 10th, 2026

ଅଗଷ୍ଟ୭ରେ ଭୁବନେଶ୍ବର କୋର୍ଟରେ ହାଜର ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

222 Views

ଭୁବନେଶ୍ୱର : ଦୁଇଟି ପୁରୁଣା ମାମଲାରେ ବାଲେଶ୍ବର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅଡୁଆ ବଢ଼ିଛି। ଲୋକ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌(୩)ଙ୍କ କୋର୍ଟରେ ଗତକାଲି ହାଜର ହେବା ପାଇଁ ତାରିଖ ରହିଥିଲେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ତେବେ ତାଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ଆସନ୍ତା ଅଗଷ୍ଟ ୭ ତାରିଖରେ ତାଙ୍କୁ ହାଜର ହେବା ପାଇଁ ସମନ କରାଯାଇଛି। ସୂଚନା ମୁତାବକ, ୨୦୦୪ ମସିହାରେ ବାଲେଶ୍ବର ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା। ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ।

ପୋଡ଼ାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏତଲାରେ ଶ୍ରୀ ଷଡ଼ଙ୍ଗୀଙ୍କ ନାମ ରହିଥିଲା। ସେହିଭଳି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା। ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ବର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ବର ଏଡିଜେ-୩ କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଥିଲା। ଅପରପକ୍ଷରେ ତାଙ୍କ ନାମରେ ୭ଟି ମାମଲା ବିଚାରାଧୀନ ଥିବା ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ଶ୍ରୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି।

By amfnews

Related Post