Fri. Mar 6th, 2026

ଅକ୍ଟୋବର ୨୦୨୩ ସୁଦ୍ଧା ବନ୍ଦ ହେବ ମୁମ୍ବାଇର ପ୍ରସିଦ୍ଧ ଡବଲ୍‌ ଡେକର୍‌ ବସ୍‌ ସେବା

310 Views

ମୁମ୍ବାଇ: ଚଳାଇବା ପାଇଁ ଅଧିକ ଖର୍ଚ୍ଚ ଏବଂ ସହରର ରାସ୍ତା ସବୁ ସଙ୍କୁଚିତ ହେଉଥିବା କାରଣରୁ ଅକ୍ଟୋବର ୨୦୨୩ ସୁଦ୍ଧା ମୁମ୍ବାଇର ପ୍ରସିଦ୍ଧ ଡବଲ୍‌ ଡେକର୍‌ ବସ୍‌ ସେବା ବନ୍ଦ କରାଯିବ।

ବୃହନ୍‌ମୁମ୍ବାଇ ଇଲେକ୍ଟ୍ରିକ୍‌ ସପ୍ଲାଇ ଆଣ୍ଡ୍‌ ଟ୍ରାନ୍‌ସ୍‌ପୋର୍ଟ କହିଛି, ସାଧାରଣ ବସ୍‌ଗୁଡ଼ିକ ତୁଳନାରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏହି ପ୍ରକାଣ୍ଡ ଗାଡ଼ିଗୁଡ଼ିକୁ ପରିଚାଳନା କରିବା ଗୋଟାଏ ଚାଲେଞ୍ଜ୍‌।

୧୯୩୭ ମସିହାରେ ପ୍ରଚଳିତ ଏହି ବସ୍‌ଗୁଡ଼ିକ ଉଭୟ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହୋଇ ପାରିଥିଲା। ୧୯୪୭-୧୯୪୮ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବସ୍‌ ସଂଖ୍ୟା ଥିଲା ୧୪୧ ଏବଂ ୧୯୯୩ ବୃଦ୍ଧି ପାଇଲା ୮୮୨କୁ। ସମ୍ପ୍ରତି ୩, ୩୩୭ଟି ବସ୍‌ରୁ ସହରର ୭ଟି ରୁଟ୍‌ରେ ମାତ୍ର ୧୨୦ଟି ବସ୍‌ ଚଳାଚଳ କରୁଛି।

ଦୁଇଟି ପର୍ଯ୍ୟାୟରେ ଏହି ବସ୍‌ଗୁଡ଼ିକର ଚଳାଚଳ ବନ୍ଦ କରାଇବାକୁ ଯୋଜନା କରୁଛି ମ୍ୟାନେଜ୍‌ମେଣ୍ଟ୍‌। ଡିସେମ୍ବର ୨୦୨୦ ସୁଦ୍ଧା ରାସ୍ତାର ୭୨ଟି ବସ୍‌ ହଟିବ ଏବଂ ବାକି ୪୮ ବସ୍‌ ଅକ୍ଟୋବର ୨୦୨୩ ସୁଦ୍ଧା ହଟିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ପରିବହନ ବିଶେଷଜ୍ଞ ଅଶୋକ ଡାଟର୍‌ କହନ୍ତି: ମୋର ଡବଲ୍‌-ଡେକର୍‌ ବସ୍‌ ସ୍ମୃତି ୬୦ ବର୍ଷ ତଳର। ଡବଲ୍‌-ବେକର୍‌ ବସ୍‌ ସହ ଅନେକ ସ୍ମୃତି ଜଡ଼ିତ, ସଦ୍ୟତମ ହେଉଛି ମୋ ନାତିନାତୁଣୀଙ୍କ ସହ। ଉପର ଡେକ୍‌ର ପ୍ରଥମ ସିଟ୍‌ରେ ବସିବାକୁ ସେମାନେ ଅତି ବ୍ୟାକୁଳ ହୋଇ ପଡ଼ିଥିଲେ। ଐତିହାସିକ ମୂଲ୍ୟବୋଧ ଏବଂ ସହରର ଟ୍ରଫିକ୍‌ ଜାମ୍‌ ହ୍ରାସ କରୁଥିବାରୁ ଏହି ସେବାକୁ ମ୍ୟାନେଜ୍‌ମେଣ୍ଟ୍‌ ବନ୍ଦ କରିବା ଅନୁଚିତ।

ଆଉ ୯୯୩ଟି ବସ୍‌ ଆଣି ୨୦୨୦ ସୁଦ୍ଧା ଡବଲ୍‌ ଡେକର୍‌ ବସ୍‌ ସଂଖ୍ୟା ୪୦୫୦କୁ ବଢ଼ାଇବାକୁ ସୋମବାର ଦିନ ବୃହନ୍‌ମୁମ୍ବାଇ ଇଲେକ୍ଟ୍ରିକ୍‌ ସପ୍ଲାଇ ଆଣ୍ଡ୍‌ ଟ୍ରାନ୍‌ସ୍‌ପୋର୍ଟ ପ୍ରସ୍ତାବ ଦେଇଛି।

By amfnews

Related Post