Tue. Feb 4th, 2025

ଅକ୍ଟୋବର ଶେଷ ଆଡ଼କୁ ପୁଣି ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

By amfnews Sep 19, 2019 #Featured
137 Views

ଭୁବନେଶ୍ବର : ଅନ୍ତର୍ଜାତୀୟ ବିମାନ ସେବାକୁ ଗୁରୁତ୍ବ ଦିଆଯିବ। ବନ୍ଦ ହେବାକୁ ଘୋଷଣା ହୋଇସାରିଥିବା ବ୍ୟାଙ୍କକ୍‌ ବିମାନ ଉଡ଼ାଣ ପୁଣିଥରେ ଅକ୍ଟୋବର ଶେଷ ଆଡ଼କୁ ଆରମ୍ଭ ହେବ। ଏଥିସହ ଦୁବାଇ ଓ ସିଙ୍ଗାପୁରକୁ ମଧ୍ୟ ସିଧାସଳଖ ବିମାନ ଉଡ଼ାଣର ବନ୍ଦୋବସ୍ତ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ସେହିପରି ଉଡ଼ାଣ ଯୋଜନାରେ ରାଉରକେଲା, ଜୟପୁର, ଉତ୍‌କେଲାରେ ଏୟାରଷ୍ଟ୍ରିପ୍‌ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ପର୍ଯ୍ୟଟନ ସଚିବ ବିଶାଳ ଦେବ।

ପର୍ଯ୍ୟଟନ-୨୦୨୦ ନୀତିକୁ ଗୁରୁତ୍ବାରୋପ କରି ଅନେକ ଯୋଜନା କାର୍ଯ୍ୟକାରୀ କରିବାକୁ ପର୍ଯ୍ୟଟନ ବିଭାଗ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଶ୍ରୀ ଦେବ ସୂଚନା ଦେଇ କହିଲେ, ଦୁଃସାହସିକ କ୍ରୀଡ଼ା ପାଇଁ ଓଡ଼ିଶାରେ ରିଭର୍‌ କ୍ରୁଜ୍‌ର ବ୍ୟବସ୍ଥା ହେବ। କୋଲକାତା, ବନାରସ ଢାଞ୍ଚାରେ ଓଡ଼ିଶାରେ ଏହି ରିଭର କ୍ରୁଜ୍‌ର ସୁବିଧା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ମହାନଦୀ‌ରେ ଏହା ଆରମ୍ଭ ହେବ। ପରେ ଚିଲିକା ଓ ଭିତରକନିକାରେ ଏହି ସୁବିଧା ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ। ଏହାସହ ଚନ୍ଦ୍ରଭାଗା କୂଳରେ ସର୍ଫିଂ ଉତ୍ସବ ପୁନର୍ବାର ଆୟୋଜନ କରିବାକୁ ଯୋଜନା କରାଯାଉଛି। ପାରାସେଲିଂ, ପାରାଗ୍ଲାଇଡିଂ ପାଇଁ ମଧ୍ୟ ବ୍ୟବସ୍ଥା ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି।

ଓଡ଼ିଶାରେ ୨ଟି ଗଲ୍‌ଫ କୋର୍ଟ ନିର୍ମିତ ହେବ। ଶାମୁକା ପ୍ରକଳ୍ପ ମଧ୍ୟରେ ୧୫୦ ଏକର ପରିମିତ ଅଞ୍ଚଳରେ ଏହି ଗଲ୍‌ଫ କୋର୍ଟ ନିର୍ମିତ ହେବ। ବିଭିନ୍ନ କର୍ପୋରେଟ୍‌ ହାଉସ୍‌କୁ ଏହି ‌ଗଲ୍‌ଫ କୋର୍ଟକୁ ଆକର୍ଷିତ କରିବା ପାଇଁ ଏହା ମଧ୍ୟରେ ରିସୋର୍ଟ, କାଫେ ଡେ ଏରିଆ, ଫୁଡ୍‌କୋର୍ଟର ବ୍ୟବସ୍ଥା ରହିବ ବୋଲି ଗଲ୍‌ଫ୍‌ ପର୍ଯ୍ୟଟନ ସଂଘର ସଭାପତି ରାଜନ ସେହଗଲ୍‌ କହିଛନ୍ତି। ଏଥିସହ ଆଉ ଏକ ସ୍ଥାନରେ ଗଲ୍‌ଫ ପାଇଁ ଜାଗା ଚିହ୍ନଟ ବାକି ରହିଛି ବୋଲି ସେ କହିଛନ୍ତି।

ହୋଟେଲ୍‌ ରହଣିରେ ଜିଏସ୍‌ଟି ହ୍ରାସ ପାଇଁ ଜିଏସ୍‌ଟି ପରିଷଦକୁ ପ୍ରସ୍ତାବ ହୋଟେଲ୍‌ ରହଣିରେ ଜିଏସ୍‌ଟି ହ୍ରାସ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ସଂପ୍ରତି ୭୫୦୦ ଟଙ୍କାର ହୋଟେଲ୍‌ ରୁମ୍‌ରେ ରହଣି ପାଇଁ ୨୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ୁଥିବା ବେଳେ ସମ୍ଭବତଃ ଏହା ହ୍ରାସ ପାଇବା ନେଇ ଆଶା ଜାଗିଛି। ହୋଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାରୋ) ପକ୍ଷରୁ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ୪ର୍ଥ ପର୍ଯ୍ୟଟନ ସମ୍ମେଳନରେ ପର୍ଯ୍ୟଟନ ମନ୍ତ୍ରାଳୟର ଅତିରିକ୍ତ ମହା ପ୍ରବନ୍ଧକ ରୁପିନ୍ଦର ବ୍ରାର୍‌ ଅତିଥି ଭାବେ ଯୋଗଦେଇ କହିଛନ୍ତି, ହୋଟେଲ୍‌ ଶିଳ୍ପକୁ ଜିଏସ୍‌ଟି ବହୁ ପରିମାଣରେ ପ୍ରଭାବିତ କରିଥିବା ନେଇ ବିଭିନ୍ନ ରାଜ୍ୟରୁ ଅଭିଯୋଗ ଆସିଥିଲା। ଏହାକୁ ବିଚାରକୁ ନେଇ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ଆଲୋଚନା ପରେ ଜିଏସ୍‌ଟି ପରିମାଣ ୨୮ ପ୍ରତିଶତ ବଦଳରେ ୫ରୁ ୮ ପ୍ରତିଶତ ରଖିବା ପାଇଁ ‘ଜିଏସ୍‌ଟି ପରିଷଦ’କୁ ପ୍ରସ୍ତାବ ଦିଆଯାଇଛି। ସମ୍ଭବତଃ ଏହି ପ୍ରସ୍ତାବକୁ ବିଚାର ପୂର୍ବକ ଜିଏସ୍‌ଟି ହ୍ରାସ ହେବ ବୋଲି ସେ କହିଛନ୍ତି।

By amfnews

Related Post