Sun. Apr 20th, 2025

୮୦ ପ୍ରତିଶତ ଫିଲ୍ମ ସଂରକ୍ଷିତ ହୋଇ ନାହିଁ

By amfnews Oct 17, 2018 #Featured
179 Views

ଭୁବନେଶ୍ବର : ପ୍ରତ୍ୟେକ ଫିଲ୍ମରେ ତତ୍କାଳୀନ ସାଂସ୍କୃତିକ ବାସ୍ନା ସହ ଅନେକଙ୍କ ଆବେଗ ନିହିତ ଅଛି। ଯଦିଓ ଭାରତରେ ପାଖାପାଖି ୧୦ଟି ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ଅଛି ଏବଂ ବର୍ଷକୁ ୨ହଜାର ଫିଲ୍ମ ନିର୍ମିତ ହେଉଛି। ମାତ୍ର ୮୦ ପ୍ରତିଶତ ଫିଲ୍ମ ଏପର୍ଯ୍ୟନ୍ତ ସଂରକ୍ଷିତ କରାଯାଇ ନାହିଁ। ଅନ୍ୟବର୍ଗର ୯୯ ପ୍ରତିଶତ ଫିଲ୍ମ ମଧ୍ୟ ସଂରକ୍ଷିତ କରାଯାଇ ନାହିଁ। ଫିଲ୍ମ ନିର୍ମାଣ ଏକ କଳା। କିନ୍ତୁ ଏହାର ବ୍ୟବସାୟିକ ଦିଗକୁ ଯେତିକି ଦୃଷ୍ଟି ଦିଆଯାଇଛି ସଂରକ୍ଷଣ ପାଇଁ ଦୃଷ୍ଟି ଦିଆଇନାହିଁ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଅଭିଲେଖବିତ୍‌ ତଥା ମୁମ୍ବାଇର ‘ଫିଲ୍ମ ହେରିଟେଜ୍‌ ଫାଉଣ୍ଡେସନ୍‌’ର ପ୍ରତିଷ୍ଠାତା ନିର୍ଦେଶକ ଶିଭେନ୍ଦ୍ର ସିଂହ ଡୁଙ୍ଗରପୁର।

ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ‘ଚଳଚ୍ଚିତ୍ର ଅଭିଲେଖ, ସଂରକ୍ଷଣ ଓ ପୁନରୁଦ୍ଧାର’ ଶୀର୍ଷକ ବିଷୟରେ ଆଲୋକପାତ କରି ଶ୍ରୀ ଡୁଙ୍ଗରପୁର କହିଲେ, ସେନ୍‌ସର ବୋର୍ଡର ତଥ୍ୟ ମୁତାବକ ୨୦୧୬-୧୭ ବର୍ଷରେ ୪୫ଟି ଭାଷାରେ ୧୯୮୬ଟି ଫିଲ୍ମ ନିର୍ମିତ ହୋଇଛି। କିନ୍ତୁ ସଂରକ୍ଷଣ ପାଇଁ ଏପର୍ଯ୍ୟନ୍ତ କେବଳ ଜାତୀୟ ଫିଲ୍ମ ଆର୍କାଇଭ୍‌ ଏବଂ ଫିଲ୍ମ ହେରିଟେଜ୍‌ ଫାଉ‌େ‌ଣ୍ଡସନ୍‌କୁ ଛାଡ଼ି ଦେଲେ ଆଉ କୌଣସି କ୍ଷେତ୍ର ନାହିଁ। ପ୍ରତ୍ୟେକ ରାଜ୍ୟରେ ଫିଲ୍ମ ଅଭିଲେଖାଗାରର ଆବଶ୍ୟକତା ରହିଛି। ଏକ ସମୟର ସଂସ୍କୃତି ଓ ଫିଲ୍ମ ଐତିହ୍ୟକୁ ବଞ୍ଚେଇ ରଖିବା ପାଇଁ ଓଡ଼ିଶାରେ ଯଥାଶୀଘ୍ର ରାଜ୍ୟ ଫିଲ୍ମ ଆର୍କାଇଭ୍‌ ସ୍ଥାପନ ହେବା ଉଚିତ୍‌। ଏହା ମଧ୍ୟରେ ଫିଲ୍ମ ସହ ନନ୍‌ଫିଲ୍ମ ମଧ୍ୟ ସଂରକ୍ଷିତ ହେବା ଉଚିତ୍‌। ଏଥିସହ ଫିଲ୍ମ ଆର୍କାଇଭ୍‌ କରିବା ପାଇଁ ଉପଯୁକ୍ତ ତାଲିମ୍‌ ଦିଆଯିବା ଉଚିତ୍‌। ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏନେଇ ଫିଲ୍ମ ହେରିଟେଜ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ଡୁଙ୍ଗରପୁର୍‌ କହିଛନ୍ତି।

ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଚଳଚ୍ଚିତ୍ର ଅଭିଲେଖାଗାର ନେଇ ଆରମ୍ଭ ହୋଇଥିବା ଉଦ୍ୟମ ଏବଂ ଅସଫଳ ହେବା ସମ୍ବନ୍ଧୀୟ ଅନୁଭୂତି ରଖିଥିଲେ। ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ପରିଚାଳନା କରିଥିଲେ।

By amfnews

Related Post