ନୂଆଦିଲ୍ଲୀ: ସାରା ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବା ନିଷ୍ପତ୍ତି ହୋଇଥିଲେ ହେଁ ଏବେ ଦୋଷୀ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିବାରୁ ଫାଶୀ ତାରିଖ ଘୁଞ୍ଚିପାରେ ବୋଲି ଜଣା ପଡ଼ିଛି। ତେବେ ଏ ସବୁ ମଧ୍ୟରେ ଜେଲରେ ୭ବର୍ଷ କାଳ ରହି ନିର୍ଭୟା ଦୋଷୀ କେତେ ଟଙ୍କା ଆୟ କରିଛନ୍ତି, ତାହାର ଖୁଲାସା ହୋଇଛି। ନିର୍ଭୟାର ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ୭ ବର୍ଷ ମଧ୍ୟରେ କୌଣସି କାମ କରି ନ ଥିବା ବେଳେ ଅନ୍ୟ ୩ ଜଣ ଦୋଷୀ ମିଶି ୧ଲକ୍ଷରୁ ଅଧିକ ଟଙ୍କା ଆୟ କରିଥିବା ଜଣାପଡ଼ିଛି।
ତିହାର୍ ଜେଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିର୍ଭୟା ଦୋଷୀ ମୁକେଶ କୌଣସି କାମ କରି ନ ଥିବା ବେଳେ ଦୋଷୀ ଅକ୍ଷୟ ଠାକୁର ଦିନ ମଜୁରିଆ ଭାବେ କାମ କରି ୬୯,୦୦୦ ଟଙ୍କା ଆୟ କରିଥିବା ସହ ପବନ ୨୯,୦୦୦ଟଙ୍କା ଆୟ କରିଥିଲା। ସେହି ଭଳି ଭାବେ ତୃତୀୟ ଦୋଷୀ ବିନୟ ଶର୍ମା ୩୯,୦୦୦ଟଙ୍କା ଆୟ କରିଥିଲା।
ତେବେ ୪ ଦୋଷୀଙ୍କୁ ଫାଶୀ ଦିଆଯିବାର ସମସ୍ତ ପ୍ରକ୍ରିୟା ଶେଷ ହୋଇ ସାରିଥିବା ବେଳେ ଦିନ ମଧ୍ୟ ଧାର୍ଯ୍ୟ ସାରିଥିଲା। କିନ୍ତୁ ଏବେ ଦୋଷୀମାନେ ରାଜକ୍ଷମା ପାଇଁ ଆବେଦନ କରିଥିବାରୁ, ଏହା ଉପରେ କୌଣସି ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଦିଲ୍ଲୀ ସରକାର ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏହା ଦ୍ବାରା ଜାନୁଆରି ୨୨ରେ ଫାଶୀ ହେବ ନା ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।