Tue. Mar 10th, 2026

୫ ହଜାର ଟଙ୍କା ପାଇଁ ଯୁବକଙ୍କୁ ପିଟି ପିଟି ମାରି ଦେଲା ପଡ଼ୋଶୀ !

250 Views

ନୀଳଗିରି : ମାତ୍ର ୫ ହଜାର ଟଙ୍କା ପାଇଁ ଯୁବକଙ୍କୁ ପିଟି ପିଟି ମାରି ଦେଲା ପଡ଼ୋଶୀ। ଏହି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବାଘମରା ଅଞ୍ଚଳରୁ। ମୃତକଙ୍କ ନାଁ ବାବୁରାମ ସିଂ। ସୂଚନାଅନୁସାରେ, ବାବୁରାମ ସିଂଙ୍କ ମାଆ କଟି ସିଂ ଏବେ ବାଲେଶ୍ୱର ଜେଲ୍‌ରେ ବିଚାରାଧୀନ କଏଦୀ ଅଛନ୍ତି। ସେ ଜେଲ୍‌ରେ କାମ କରି ଗତ କିଛି ମାସ ତଳେ ବୁଧୁ ସିଂ ଜରିଆରେ ତାଙ୍କ ଘରକୁ ୫ ହଜାର ଟଙ୍କା ପଠାଇଥିଲେ। ହେଲେ ବୁଧୁ କିଛି ନଜଣାଇ ଏହି ଟଙ୍କା ହଡ଼ପ କରିଥିଲା। ନିକଟରେ ବାବୁରାମ ତାଙ୍କ ମାଆଙ୍କୁ ଦେଖା କରିବାକୁ ଜେଲ୍‌ ଯାଇଥିଲେ। ସେଠାରେ ତାଙ୍କ ମାଆ ଟଙ୍କା ପଠାଇଥିବା ଜାଣି ଗତ ଶୁକ୍ରବାର ବୁଧୁ ସିଂଙ୍କୁ ଟଙ୍କା ମାଗିଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୁଧୁ ସିଂ ଓ ତାଙ୍କ ପୁଅ ଚୁନୁ ସିଂ ବାବୁରାମଙ୍କୁ ମାଡ଼ ପାରି ରକ୍ତାକ୍ତ ଅବସ୍ଥାରେ ଗାଁର ଭାଗବତ ଟୁଙ୍ଗି ନିକଟରେ ଫିଙ୍ଗି ଦେଇଥିଲେ। ପରେ ଗାଁ ଲୋକେ ବାବୁରାମଙ୍କୁ ବୁଧୁ ସିଂଙ୍କ ଘରେ ଚିକିତ୍ସା ପାଇଁ ଛାଡ଼ି ଦେଇଥିଲେ। ତେବେ ଗତକାଲି ରାତିରେ ବାବୁରାମଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଓ ପୁଣିଥରେ ବୁଧୁ ସିଂ ମାଡ଼ ମାରିଥିବା ନେଇ ବାବୁରାମଙ୍କ ଭାଇ ଅଭିଯୋଗ କରିଛନ୍ତି। ନୀଳଗିରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ବୁଧୁ ସିଂ ଓ ତାଙ୍କ ପୁଅ ଚୁନୁ ସିଂକୁ ଅଟକ ରଖିଛି।

By amfnews

Related Post