Sat. Mar 7th, 2026

୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ

437 Views

ଭୁବନେଶ୍ୱର : ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଜାନୁୟାରୀ ୨୦ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମତି ଦେଇଛନ୍ତି।

ରାଜଭବନ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଚଳିତବର୍ଷ ଜାନୁୟାରୀ ୫ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନକୁ ସର୍ବସାଧାରଣ ପରିଦର୍ଶନରେ ଆସିପାରିବେ। ରବିବାର ଓ ଛୁଟିଦିନ ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ଛାତ୍ରଛାତ୍ରୀମାନେ ଜାନୁୟାରୀ ୬ରୁ ୨୧ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟେକ ସକାଳ ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ରାଜଭବନ ଉଦ୍ୟାନ ବୁଲିପାରିବେ। ଏଥିପାଇଁ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ସେମାନେ ଅନୁରୋଧ ପତ୍ର ପ୍ରେରଣ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ନିର୍ଘଣ୍ଟ ମଧ୍ୟରେ ରାଜଭବନ ମଧ୍ୟକୁ ଭିଡ଼ମୁକ୍ତ ହୋଇ ସହଜରେ ପ୍ରବେଶ କରିବା ପାଇଁ ରାଜଭବନ ପକ୍ଷରୁ ‘ରାଜଭବନ ଓଡ଼ିଶା’ ନାଁରେ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି, ଯାହା ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ। ଏହା ମାଧ୍ୟମରେ ଅନଲାଇନରେ ପ୍ରବେଶ ପତ୍ର ହାସଲ କରିହେବ। ସେହିପରି ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟାର ମାଧ୍ୟମରେ ହାତଦ୍ୱାରା ପ୍ରସ୍ତୁତ ପ୍ରବେଶ ପତ୍ର ମଧ୍ୟ ଉପଲବ୍ଧ ହେବ।

ରାଜଭବନର ସବୁଜ ଲନ, ହରିଣ ଉଦ୍ୟାନ, ସଙ୍ଗୀତମୟ ଝରଣା, ଖୋଲା ଆକ୍ୱାରିୟମ ଓ ପକ୍ଷୀ ଏନକ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

By amfnews

Related Post