Wed. Mar 11th, 2026

୫ବର୍ଷରେ ୬ଟି ନୌକା ଦୁର୍ଘଟଣା, ୬୫ ମୃତ

252 Views

ଭୁବନେଶ୍ବର : ଗତ ପାଞ୍ଚ ବର୍ଷ ଭିତରେ ୬ଟି ନୌକା ଦୁର୍ଘଟଣା ଘଟି ୬୫ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ସବୁଠୁ ବେଶୀ ନୌକା ଦୁର୍ଘଟଣା ମହନଦୀରେ ଘଟିଛି। ବିଧାନସଭାରେ ଏ ସମ୍ପର୍କିତ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଏମିତି ତଥ୍ୟ ରଖିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ।

ମନ୍ତ୍ରୀ କହିଛନ୍ତି, ୨୦୧୪ ଫେବ୍ରୁଆରି ୯ ତାରିଖରେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାରରେ ନୌକା ଦୁର୍ଘଟଣା ଘଟି ୩୧ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ସେଥିରେ ୧୨ ଜଣ ପୁରୁଷ ଓ ୧୯ଜଣ ମହିଳା ଥିଲେ। ସେହିବର୍ଷ ମେ ମାସ ୫ ତାରିଖରେ ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀର ନଛିପୁର ଗ୍ରାମ ନିକଟରେ ନୌକା ଦୁର୍ଘଟଣାରେ ୨ ପୁରୁଷ ଓ ୩ ମହିଳାଙ୍କ ସମେତ ୫ ଜଣଙ୍କର ପ୍ରାଣହାନି ଘଟିଥିଲା।

୨୦୧୫ ଓ ୨୦୧୭ରେ କୌଣସି ଦୁର୍ଘଟଣା ଘଟିନଥିବାବେଳେ ୨୦୧୬ରେ ୩ଟି ଦୁର୍ଘଟଣା ଘଟି ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଢେଙ୍କାନାଳ ଜିଲ୍ଲାରେ ବ୍ରାହ୍ମଣୀ ନଦୀର ଚାନ୍ଦିପୋଳ ଘାଟରେ ନୌକା ଦୁର୍ଘଟଣାରେ ୩ ପୁରୁଷ ଓ ୩ ମହିଳାଙ୍କ ସମେତ ୬ଜଣ ପ୍ରାଣ ହରାଇଥିବାବେଳେ େସାନପୁର ଜିଲ୍ଲାରେ ମହାନଦୀର ତେଲେଣ୍ଡା ଫେରିଘାଟରେ ଦୁର୍ଘଟଣା ଘଟି ଜଣେ ପୁରୁଷଙ୍କ ସମେତ ୨ ମହିଳାଙ୍କ ସଲିଳ ସମାଧି ହୋଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ସାବୁଳିଆ ଗ୍ରାମ ନିକଟ ଚିଲିକା ହ୍ରଦରେ ନୌକା ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ଭିତରେ ୩ ପୁରୁଷ ଓ ଜଣେ ମହିଳା ସାମିଲ ଥିଲେ।

୨୦୧୮ରେ ଖୋର୍ଦ୍ଧା ଜିଲ୍ଲା କାଳିଜାଇ ନିକଟ ଚିଲିକା ହ୍ରଦରେ ଘଟିଥିବା ନୌକା ଦୁର୍ଘଟଣାରେ ଜଣେ ପୁରୁଷଙ୍କ ସମେତ ୫ ମହିଳା ପ୍ରାଣ ହରାଇଥିଲେ। ଚଳିତବର୍ଷ ଜାନୁଆରି ଦୁଇ ତାରିଖରେ ନୂଆବର୍ଷ ଭୋଜି ସାରି ଫେରିବା ବାଟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମହାନଦୀର ସାନ ନିପାଣିଆ ଗ୍ରାମ ନିକଟରେ ନୌକା ଦୁର୍ଘଟଣା ଘଟି ୩ ପୁରୁଷଙ୍କ ସମେତ ୭ ମହିଳା ଯାତ୍ରୀ ପ୍ରାଣ ହରାଇଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜଳପଥରେ ନିରାପଦ ଯାତ୍ରା ପାଇଁ ୨୦୦୪ ମସିହାରେ ଓଡ଼ିଶା ବୋଟ ରୁଲ୍ସ ୨୦୦୪ ପ୍ରଣୟନ କରିଛନ୍ତି। ଅଥଚ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାରେ ଅବହେଳା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିଚାଲିଛି । ନିୟମ ମୁତାବକ ନୌକାଯାତ୍ରା ପାଇଁ ଜଳପଥରେ ଚଳାଚଳ ସମସ୍ତ ଡଙ୍ଗା ପଞ୍ଜିକୃତ ହେବା ସହ ବୋଟ ମାଲିକମାନେ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନେଇ ଜିଲ୍ଲା ପ୍ରଶାସନ ଦ୍ବାରା ନିଯୁକ୍ତ ଇଞ୍ଜିନିୟରମାନେ ସମ୍ପୃକ୍ତ ଲାଇସେନ୍ସ ପ୍ରାପ୍ତ ଡଙ୍ଗାର ତଦାରଖ କରିବା କଥା। ପ୍ରତ୍ୟେକ ଡଙ୍ଗାରେ ଲାଇଫ ସେଭିଂ ଜ୍ୟାକେଟ, ବୀମା ବ୍ୟବସ୍ଥା ସହିତ ବୈଷୟିକ ଦିଗରୁ ଫିଟନେସ ସାର୍ଟିଫିକେଟ ଥିବା ବାଞ୍ଛନୀୟ। ଏହାସହିତ ବୋଟ ରୁଲକୁ କଡ଼ାକଡ଼ି ପାଳନ କରୁନଥିବା ବୋଟ ମାଲିକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାସ୍ତରରେ ଥିବା ନୋଡାଲ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନାରେ ନୌ ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପଦ ନୌ ଯାତ୍ରା ପାଇଁ ପ୍ରତ୍ୟେକ ନୌକାଗୁଡ଼ିକୁ ଜୀବନ ରକ୍ଷାକାରୀ ସରଂଜାମ ୯୫% ରିହାତି ଦରରେ ଯୋଗାଇ ଦିଆଯାଉଛି ।

By amfnews

Related Post