Sat. Mar 7th, 2026

୪୮ବର୍ଷରୁ ଅଧିକ ହିନ୍ଦୀ, ସଂସ୍କୃତ ଏବଂ ପିଇଟି ଶିକ୍ଷକଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ନେବାକୁ ପଡ଼ିବନି

211 Views

ଭୁବନେଶ୍ବର : ରାଜ୍ୟର ୬୦୮ଟି ଅନୁଦାନପ୍ରାପ୍ତ ଏବଂ ୨୬୦୮ଟି ନୂଆ ଅନୁଦାନପ୍ରାପ୍ତ ସ୍କୁଲର ହିନ୍ଦୀ, ସଂସ୍କୃତ ଏବଂ ପିଇଟି ଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ନିୟମ କୋହଳ କରିଛନ୍ତି। ଏହି ଶିକ୍ଷକମାନେ ବୃତ୍ତିଗତ ପ୍ରଶିକ୍ଷଣ ନନେଇଥିଲେ ବି ସେମାନଙ୍କୁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦରମା ପ୍ରଦାନ କରାଯିବ। ହେଲେ ଏଥିପାଇଁ ସେମାନଙ୍କୁ ୪୮ବର୍ଷ ବା ତଦୁର୍ଦ୍ଧ୍ବ ହୋଇଥିବା ଦରକାର ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଆଜି ସଚିବାଳୟରେ ମନ୍ତ୍ରୀ ଶ୍ରୀ ଦାଶ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୫ହଜାରରୁ ଅଧିକ ଶିକ୍ଷକ ଉପକୃ୍ତ ହେବେ ବୋଲି ଜଣାପଡ଼ିଛି।

ବିଭିନ୍ନ ଅନୁଦାନ ପ୍ରାପ୍ତ ସ୍କୁଲରେ ଥିବା ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକମାନଙ୍କୁ ଦୁଇଟି ଗ୍ରେଡ୍‌ରେ ଦରମା ପ୍ରଦାନ କରାଯାଉଛି। ୪୮ବର୍ଷ ମଧ୍ୟରେ ଏହି ଶିକ୍ଷକମାନଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ନନେଲେ ତାଲିମପ୍ରାପ୍ତ ଶିକ୍ଷକଙ୍କ ହାର ଅନୁଯାୟୀ ଦରମା ମିଳୁନଥିଲା। ରାଜ୍ୟ ସରକାର ବି ଗତ ୫ବର୍ଷ ହେଲା ଏହି ତାଲିମ୍ ପ୍ରଦାନ କରିନଥିଲେ। ତେଣୁ ଏହି ବର୍ଗର ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାପରେ ଏହି ଶିକ୍ଷକମାନେ ଟ୍ରିବ୍ୟୁନାଲରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କେସ୍ କରି ଜିତିଥିଲେ। ରାଜ୍ୟ ସରକାର ହାଇକୋର୍ଟରେ ଏହାକୁ ଚାଲେଞ୍ଜ୍ କରିଥିଲେ ହେଁ ଏହା ଖାରଜ ହୋଇଯାଇଥିଲା। ଏହାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ସଂସ୍କୃତ, ହିନ୍ଦୀ ଓ ପିଇଟି ଶିକ୍ଷକମାନଙ୍କ ଅଭିଜ୍ଞତାକୁ ଭିତ୍ତିକରି ଏଣିକି ୪୮ବର୍ଷ ପରେ ସେମାନଙ୍କୁ ଆଉ ବୃତ୍ତିଗତ ତାଲିମ୍ ନେବାକୁ ପଡ଼ିବନି। ସେମାନେ ତାଲିମ୍ ନନେଲେ ବି ତାଲିମପ୍ରାପ୍ତ ଶିକ୍ଷକଙ୍କ ଭଳି ଦରମା ପାଇବେ। ଏହାକୁ ତୁରନ୍ତ ଲାଗୁ କରିବାକୁ ନିଷ୍ପତ୍ତିି ହୋଇଛି।

By amfnews

Related Post