ଭୁବନେଶ୍ବର, ୨୮/୧୦ : ବନ୍ୟପ୍ରାଣୀ ଅପରାଧୀଙ୍କ ବିରୋଧରେ ମକଦ୍ଦମା ଶୀଘ୍ର ଫଏସଲା ପାଇଁ ସ୍ବତନ୍ତ୍ର କୋର୍ଟ ହେବ। ବନ୍ୟପ୍ରାଣୀ ଥିବା ଅଞ୍ଚଳରେ ଡିଏଫ୍ଓଙ୍କ ଅଧୀନରେ ସ୍ବତନ୍ତ୍ର ସ୍କ୍ବାଡ ହେବ। ବନ୍ୟପ୍ରାଣୀ ହତ୍ୟାକାରୀଙ୍କ ବାବଦରେ ଖବର ଦେଉଥିବା ବ୍ୟକ୍ତିଙ୍କ ନାମ ଗୁପ୍ତ ରଖି ୫୦ ହଜାର ଟଙ୍କା ପୁରସ୍କାର ଦେବେ। ଅକାଳରେ ଚାଲି ଯାଉଥିବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ସହ ଶିକାର ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଲେ। ଅଥଚ ଏପର୍ଯ୍ୟନ୍ତ ଏହା ବାସ୍ତବ ରୂପ ନେଲା ନାହିଁ। ପ୍ରତ୍ୟେକ ବର୍ଷ ଦୁର୍ଘଟଣା ଓ ଶିକାର ଯୋଗୁଁ ଶହଶହ ବିରଳ ବନ୍ୟପ୍ରାଣୀ ଅକାଳରେ ପ୍ରାଣ ହରାଉଥିଲେ ହେଁ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରକାଶ ପାଇନାହିଁ।
ଆଜି ଢେଙ୍କାନାଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କର ମୃତ୍ୟୁ ହୋଇଛି। ବାରମ୍ବାର ଏପରି ଘଟୁଥିଲେ ହେଁ ଚେତା ପଶୁନାହିଁ। ଗତ ୩ ବର୍ଷରେ ଏହିପରି ୬୪୪ ପଶୁଙ୍କର ମୃତ୍ୟୁ ଘଟିସାରିଲାଣି। ହରିଣମାନେ ବେଶି ଶିକାର ହେଉଛନ୍ତି। ୨୦୧୫-୧୬ ରୁ ୨୦୧୭-୧୮ ମଧ୍ୟରେ ୩୯୦ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୯୩ଟି ହରିଣ ଶିକାର ଯୋଗୁଁ ମରିଛନ୍ତି। ୩ ବର୍ଷ ମଧ୍ୟରେ ୨୪୫ଟି ହାତୀ ମରିଥିବା ବେଳେ ୨୯ଟି ବିଦ୍ୟୁତ ଆଘାତ ଓ ଶିକାର, ଦୁର୍ଘଟଣା, ଆନ୍ଥ୍ରାକ୍ସ, ପ୍ରାକୃତିକ କାରଣ ଏବଂ ବିଷ ଜନିତ କାରଣରୁ ଅନ୍ୟ ହାତୀମାନଙ୍କର ମୃତ୍ୟୁ ହୋଇଛି। ୧୪ଟି କଲରା ପତରିଆ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଟି କେବଳ ଶିକାର ଜନିତ କାରଣରୁ ପ୍ରାଣ ହରାଇଛନ୍ତି। ଏଥିସହ ୨ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି। ୩ ବର୍ଷ ମଧ୍ୟରେ ଏମାନଙ୍କ ମୃତ୍ୟୁ ସଂଖ୍ୟା ୬୫୧ ଅତିକ୍ରମ କରିଥିବା ବେଳେ ୧୦୮ଜଣଙ୍କର ଶିକାର ଯୋଗୁଁ ମୃତ୍ୟୁ ହୋଇଛି।