Sat. Mar 7th, 2026

୩୯ ବର୍ଷ ପରେ ଟିଟିଲାଗଡ଼କୁ ମିଳିଲା ମନ୍ତ୍ରୀପଦ ,ଟୁକୁନି କ୍ୟାବିନେଟ୍‌ ମନ୍ତ୍ରୀ, ବଲାଙ୍ଗୀରରେ ଅଷ୍ଟମ

296 Views

ଟିଟିଲାଗଡ଼: ଚଳିତ ନିର୍ବାଚନରେ ଟିଟିଲାଗଡ଼ ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ମଙ୍ଗଳବାର ସଂଧ୍ୟାରେ ନବୀନ ନିବାସରୁ ଫୋନ ଆସିବା ପରେ ସେ ମନ୍ତ୍ରୀ ପଦ ପାଇବା ଜଣାପଡ଼ିଥିଲା। ତେବେ ତାଙ୍କୁ କେବଳ ମନ୍ତ୍ରୀ ପଦ ନୁହେଁ, କ୍ୟାବିନେଟ୍‌ ପାହ୍ୟା ବି ମିଳିଛି। ଏଥିସହିତ ଦୀର୍ଘ ୩୯ ବର୍ଷ ପରେ ଏହି ନିର୍ବାଚନ ମଣ୍ଡଳୀ ମନ୍ତ୍ରୀ ପଦ ପାଇଛି। ଅଶୀ ଦଶଳରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଟିଟିଲାଗଡ଼ ଆସନରୁ ନିର୍ବାଚିତ ଲଳିତ ମୋହନ ଗାନ୍ଧି ସୂଚନା ଓ ଲୋକସଂପର୍କ ବିଭାଗର ମନ୍ତ୍ରୀ ପଦ ପାଇଥିଲେ।

ତେବେ ବଡ଼ କଥା ହେଉଛି କ୍ୟାବିନେଟ୍ ମନ୍ତ୍ରୀ ହେବାରେ ଟୁକୁନି ହେଉଛନ୍ତି ବଲାଙ୍ଗୀର ଜିଲ୍ଲାରେ ଅଷ୍ଟମ। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଛଡ଼ା ଡା. ରାମପ୍ରସାଦ ମିଶ୍ର, ଅଇଁଠୁ ସାହୁ, ଅନଙ୍ଗ ଉଦୟ ସିଂହଦେଓ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ ଏବଂ ଯୋଗେନ୍ଦ୍ର ବେହେରା କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ସୂଚନାଯୋଗ୍ୟ ବଲାଙ୍ଗୀର ବିଜେଡିର ଜଣେ ଦକ୍ଷ ସଂଗଠକ ତଥା ରାଜ୍ୟ ପରିଷଦ ସଦସ୍ୟ ଅଭିମନ୍ୟୁ ସାହୁଙ୍କୁ ୧୫ ଡିସେମ୍ୱର ୨୦୧୩ ମସିହାରେ ଶ୍ରୀ ସାହୁଙ୍କ ହତ୍ୟା ହୋଇଥିଲା। ୧୪ ନିର୍ବାଚନରେ ଦଳ ପକ୍ଷରୁ ଶ୍ରୀ ସାହୁଙ୍କ ସ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ରାଜନୀତିର ଧାର ଧରୁନଥିବା ଗୃହିଣୀ ଶ୍ରୀମତୀ ସାହୁ ସେହି ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ବୀଙ୍କୁ ପ୍ରାୟ ୧୪ ହଜାର ଭୋଟରେ ପରାସ୍ତ କରି ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତା ପରେ ଧିରେ ଧିରେ ତାଙ୍କ କାର୍ଯ୍ୟ ଶୈଳୀ ବଦଳିବାକୁ ଲାଗିଲା। ନିଜେ ପ୍ରତ୍ୟକ୍ଷ ଭାବେ ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହ ସଂପର୍କ ରଖିବା ସହ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ନିଜ ଉପସ୍ଥିତି ଜାହିର କଲେ। ଏହା ସହ ଦିନକୁ ଦିନ ରାଜନୀତିର ପଶାପାଲିରେ ନିଜର କରାମତି ଦେଖାଇବା ସହ ଚଳିତ ନିର୍ବାଚନରେ ପୁଣିଥରେ ପ୍ରାୟ ୨୦ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ଗତଥର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସହରର ବହୁ ପ୍ରତୀକ୍ଷିତ ଫ୍ଲାଇଓଭର କାର୍ଯ୍ୟ ତ୍ୱରାନ୍ୱିତ ହେବା, ଭୂତଳ ପୋଲ, ଟିଟିଲାଗଡ କୁମୁଡା ପାହାଡ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବା ପରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସଂପାଦିତ ହୋଇଛି । ଏଣୁ ଲୋକଙ୍କ ମଧ୍ୟରେ ତାଙ୍କ ପ୍ରତି ନିହାତି ଭାବେ ସମର୍ଥନ ରହିଥିଲା ଯାହା କି ଚଳିତ ନିର୍ବାଚନରେ ପ୍ରତିଫଳିତ ହୋଇଛି । ତେବେ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀକୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିବା ନେଇ ଲୋକଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି।

By amfnews

Related Post