128 Views
କେନ୍ଦୁଝର, ଅଗଷ୍ଟ ୪ : ଆଜି ସକାଳୁ ବଡବିଲ ସେରେଣ୍ଡାରେ ଶହଶହ ସ୍କୁଲ ଛାତ୍ରଛାତ୍ରୀ ରାସ୍ତା ଉପରେ ବସି ରହିଛନ୍ତି । ସ୍କୁଲ ବସ୍ ଦେବା ଦାବିରେ ଛାତ୍ରଛାତ୍ରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ମେସ୍କୋ ଷ୍ଟିଲ୍ କମ୍ପାନୀ ସ୍କୁଲକୁ ଯିବା ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ବସ ଯୋଗାଇ ଦେଉଥିଲା । ମାତ୍ର ଏହି ସେବାକୁ ଦୀର୍ଘ ଏକ ମାସ ଧରି ବନ୍ଦ କରି ଦେଇଛି କମ୍ପାନୀ । ଫଳରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ବନ୍ଦ କରି ଦେଇଛନ୍ତି ।
ଦୀର୍ଘଦିନ ଧରି ଏହି ସମସ୍ୟା ନେଇ ଅଭିଭାବକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବାବେଳେ କୌଣସି ପଦକ୍ଷେପ ନିଆ ଯାଇ ନ ଥିବାରୁ ଏହାର ପ୍ରତିବାଦରେ ଆଜି ଭଦ୍ରାସାହି ସେରେଣ୍ଡାର ପ୍ରାୟ ୩୦୦ ଛାତ୍ରଛାତ୍ରୀ ରାସ୍ତାରୋକ କରିଛନ୍ତି । ଏହି ଛାତ୍ରଛାତ୍ରୀମାନେ ରାସ୍ତା ଉପରେ ବହି ବସ୍ତାନି ଧରି ସକାଳୁ ବସି ରହିଥିଲେ ।
ତେବେ ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀମାନେ ପହଂଚି ସ୍ଥାନୀୟ ଅଂଚଳର ପ୍ରତିନିଧି ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର ବସ ଯୋଗାଇ ଦେବାର ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି ।