Wed. Mar 11th, 2026

୨୯ରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ’ ଚର୍ଚ୍ଚା ୨.୦’

271 Views

ଭୁବନେଶ୍ବର, ଜାନୁଆରୀ ୨୨ : ଆଗକୁ ପରୀକ୍ଷା। ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ(ସିବିଏସ୍‌ଇ), କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ଜାମିନେସନ୍‌ସ(ସିଆଇଏସ୍‌ସିଇ) ସମେତ ବିଭିନ୍ନ ରାଜ୍ୟରେ ଥିବା ବୋର୍ଡ ଦ୍ବାରା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାର୍ଥୀ ଏଥିପ୍ରତି ପ୍ରସ୍ତୁତି ଚଲାଇଥିବା ବେଳେ ଜାନୁଆରି ୨୯ରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାହାର ନାମକରଣ ହୋଇଛି ‘ପରୀକ୍ଷା ପେ’ ଚର୍ଚ୍ଚା ୨.୦’। ଗତବର୍ଷ ‘ପରୀକ୍ଷା ପେ’ ଚର୍ଚ୍ଚା’ ନାଁରେ କାର୍ଯ୍ୟକ୍ରମ ହୋଇଥିଲା। ସେଥିରେ ଓଡ଼ିଶାର ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରିପାରି ନ ଥିଲେ। କୌଣସି କ୍ୟାମ୍ପସ୍‌ରେ କାର୍ଯ୍ୟକ୍ରମ କରାଯାଇ ନ ଥିଲା। ଏଥର କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ବବିଦ୍ୟାଳୟ ସାମିଲ ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀ କ୍ୟାମ୍ପସରେ କିଭଳି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ’ ଚର୍ଚ୍ଚା ୨.୦’ର ସିଧାପ୍ରସାରଣ ଦେଖିପାରିବେ ସେଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ କୁହାଯାଇଛି।

ନୂଆଦିଲ୍ଲୀର ଏକ ଷ୍ଟାଡିୟମ୍‌ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ସିଧାପ୍ରସାରଣ ସାରା ଦେଶରେ ହେବ। ନିର୍ଦିଷ୍ଟ କିଛି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗନେବେ। ଯୋଗଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଚୟନ ଲାଗି ‘କ୍ୟାଚି କ୍ୟାପସନ୍‌’ ଓ ‘ମାଇଁ ସକ୍ସେସ୍‌ ମନ୍ତ୍ର’ ପ୍ରତିଯୋଗିତା ଆୟୋଜିତ ହେଉଛି। ସେଥିରେ ପିଲାମାନଙ୍କୁ ସାମିଲ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

By amfnews

Related Post