Wed. Feb 5th, 2025

୨୭ ସେପ୍ଟେମ୍ୱରରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

By amfnews Sep 9, 2019 #Featured
225 Views

ନୂଆଦିଲ୍ଲୀ : ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ। ୟୁଏନଜିଏର ଅଧିକାରୀ ଏହି ସୂଚନା ଦେଇଛନ୍ତି। କେଉଁ କେଉଁ ଦେଶର ଅଧିକାରୀ ଏହି ବୈଠକରେ ଯୋଗ ଦେବେ ଏ ନେଇ ୟୁଏନଜିଏ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନଜିଏରେ ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଚୁକ୍ତି ବାବଦରେ ଭାରତର ଏଜେଣ୍ଡା ରଖିବେ ବୋଲି ସୂଚନା ରହିଛି। ଏଥିସହ ୨୭ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦିଙ୍କର ଜାତିସଂଘ ସାଧାରଣ ପରିଷଦରେ ଏହା ପ୍ରଥମ ବୈଠକ ହେବ। ଏହା ପୂର୍ବରୁ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଏହି ବୈଠକରେ ଉଦବୋଧନ ଦେଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମଞ୍ଚରେ ମୋଦି କଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିପାରନ୍ତି।

ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ୨୪ ସେପ୍ଚେମ୍ୱରରୁ ଆରମ୍ଭ ହୋଇ ୩୦ ସେପ୍ଚେମ୍ୱର ଯାଏ ଚାଲିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଚେମ୍ୱର ୨୪ ତାରିଖରେ ଉଦବୋଧନ ଦେଇ ପାରନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବାବଦରେ ଏହି ମଞ୍ଚ ଜରିଆରେ ଅନ୍ୟ ରାଷ୍ଟ୍ର ସାମ୍ନାରେ ନିଜର ମତ ରଖିବେ ବୋଲି ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ବିଲ୍‌ ଏବଂ ମେଲିଣ୍ଡା ଗେଟସ ଫାଉଣ୍ଡେସନ ଦ୍ୱାରା ଗ୍ଲୋବାଲ୍ ଗୋଲକିପର ଆଓ୍ୱାର୍ଡରେ ସମ୍ବର୍ଦ୍ଧିତ ହେବେ।୨୦୧୪ରେ ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବାରୁ ଏହି ସମ୍ମାନରେ ସମ୍ମାନୀତ ହେବେ।

By amfnews

Related Post