Wed. Mar 11th, 2026

୨୫ ରାଜ୍ୟରେ କରୋନା: ଦିନକରେ ୪୩ ନୂଆ ମାମଲା, ୬୯୪ ଆକ୍ରାନ୍ତ, ୧୬ ମୃତ

130 Views

ନୂଆଦିଲ୍ଲୀ : ଭାରତରେ ଏବେ ୨୫ଟି ରାଜ୍ୟରେ କରୋନା କାୟାବିସ୍ତାର କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୦ଟି ରାଜ୍ୟରେ ୪୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆଜି ସୁଦ୍ଧା କରୋନାରେ ୬୯୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ନଏଡ଼ାରେ ୨୪ ଘଣ୍ଟା ମଧ୍ୟରେ ୫ଟି ମାମଲା ସାମ୍ନାକୁ ଆସିବା ସହ ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଦେଶରେ କରୋନା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତି ଚାଲିଛି ଏବଂ ସମସ୍ତ ରାଜ୍ୟ ସରକାର ଏ ଦିଗରେ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସିଡିଏସ୍‌ ବିପିନ ରାୱତଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ତିନି ସେନାର ମୁଖ୍ୟ ଯୋଗଦେଇ କରୋନା ମୁକାବିଲା ରଣନୀତି ସଂକ୍ରାନ୍ତ ଆଲୋଚନା କରିଛନ୍ତି। ଦିଲ୍ଲୀରେ ଜଣେ ମହଲ୍ଲା କ୍ଲିନିକ୍‌ ଡାକ୍ତର କରୋନା ଆକ୍ରାନ୍ତ ହେବା ପରେ ଏହି କ୍ଲିନିକ୍‌କୁ ଆସିଥିବା ୮ ଶହ ଲୋକଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଆଜି ଅହମ୍ମଦାବାଦରେ ଜଣେ ଏବଂ ତାମିଲନାଡ଼ୁରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ଦେଶରେ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।

ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି ଏବଂ ୨ ହଜାରରୁ ଅଧିକ ଲୋକ ଗୋଷ୍ଠୀ ନିରୀକ୍ଷଣ ବ୍ୟବସ୍ଥାରେ ଅଛନ୍ତି। ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିବା ପରେ ରାଜ୍ୟ ସରକାର କଟକଣା ଆହୁରି କଠୋର କରି ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ କେବଳ ସେବା ପ୍ରଦାନକାରୀଙ୍କୁ ହିଁ ପେଟ୍ରୋଲ, ଡିଜେଲ ଉପଲବ୍ଧ ହେବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୧ରେ ପହଞ୍ଚିଛି ଏବଂ ଲକ୍‌ଡାଉନ୍‌ ବ୍ୟବସ୍ଥାକୁ ଶତ ପ୍ରତିଶତ ସଫଳ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି। କେତେକ ସ୍ଥାନରେ ସନ୍ଦିଗ୍ଧଙ୍କ ସଂପର୍କରେ ରିପୋର୍ଟ ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଛି। ରାଜ୍ୟ ସରକାର ସମସ୍ତ ହସ୍ପିଟାଲକୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିଛନ୍ତି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ରାଜସ୍ଥାନରେ ୩୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ତାମିଲନାଡ଼ୁରେ ୨୬ ଜଣ , ତେଲେଙ୍ଗାନାରେ ୪୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଲକ୍‌ଡାଉନ୍‌ ଉଲ୍ଲଂଘନ କଲେ ଅତି କଠୋର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଚେତାବନୀ ଦେଇଛନ୍ତି। ଦେଶବ୍ୟାପୀ ଲକ୍‌ ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ୨୦ ହଜାରରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଆଜି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

By amfnews

Related Post