କାଳିଆପାଣି : ନଗଡ଼ା ବିକାଶରେ ଦୁର୍ନୀତି ବାଧକ। ଗତ ତିନିବର୍ଷ ମଧ୍ୟରେ ନଗଡ଼ାରେ ୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଅବସ୍ଥାରେ ସୁଧାର ଆସୁନି। ବିକାଶ ନାମରେ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୬ଟି ବିଭାଗର ଅଧିକାରୀଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଫଳତଃ ତ୍ରୁଟି ସୁଧାରିବା ଯୋଜନାରେ ଆଜି ଯଥାସାଧ୍ୟ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ।
ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ମିହିର ପ୍ରସାଦ ମହାନ୍ତି ଆଜି ସଦଳବଳ ନଗଡ଼ା ଗସ୍ତରେ ଆସି ସ୍ଥିତି ପରଖିଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ(ପିଡି) ଇନ୍ଦ୍ରମଣି ନାୟକ ଓ ବିଡିଓ ବିଶ୍ବଜତ୍ ଦାସଙ୍କ ଉପସ୍ଥିତିରେ ଏଡିଏମ୍ ଶ୍ରୀ ମହାନ୍ତି ଘରକୁ ଘର ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସୂଚନା ସଂଗ୍ରହ କରିଥିଲେ। ଏଡିଏମ୍ ଶ୍ରୀ ମହାନ୍ତି ଆଜି ସକାଳ ୯ଟା ସୁଦ୍ଧା ଉପର ନଗଡ଼ାରେ ପହଞ୍ଚି ପ୍ରଥମେ ପରିମଳ ବ୍ୟବସ୍ଥା ପରଖିଥିଲେ। ସ୍ବଚ୍ଛ ଭାରତ ମିସନ ଓ ଡିଏମ୍ଏଫ୍ ଅନୁଦାନରେ ୨୧ ହଜାର ଟଙ୍କା ଲେଖାଏଁ ଅନୁଦାନରେ ଏଠି ପାଇଖାନା ନିର୍ମାଣ ହୋଇଥିଲେ ମଧ୍ୟ କେହି ଏହାକୁ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ପାଇଖାନାର କବାଟ ଖୋଲିବା ସ୍ଥିତିରେ ନଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିଛି ନଗଡ଼ା ଜୁଆଙ୍ଗଙ୍କ ଚାଉଳ ହଡ଼ପ ହୋଇଥିବା ନଜରକୁ ଆସିଥିଲା। ତିନିବର୍ଷ ତଳେ ନଗଡ଼ାବାସୀଙ୍କୁ ଦୁଇ ଦୁଇ ଥର ୱାଟର ଫିଲଟର ମିଳିଥିଲେ ମଧ୍ୟ କେହି ଜଣେ ହେଲେ ଏହାକୁ ବ୍ୟବହାର କରୁନଥିବା ଜଣାପଡ଼ିଥିଲା। ନଗଡ଼ା ଜୁଆଙ୍ଗଙ୍କ ବ୍ୟାବହାରିକ ପରିବର୍ତ୍ତନରେ ଅଧୋଗତି ଦେଖି ଏଡିଏମ୍ ଶ୍ରୀ ମହାନ୍ତି ଏଠି ନିୟୋଜିତ ଦୁଇଟିଯାକ ଏନ୍ଜିଓ କର୍ମକର୍ତ୍ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ, ଉପର ନଗଡ଼ା ପାନୀୟ ଜଳ ପ୍ରକଳ୍ପରୁ ଅବିରତ ପାଣି ଝରି ବରବାଦ୍ ହେଉଥିବା ଓ ପରିବେଶକୁ ଦୁର୍ବିଷହ କରୁଥିବାବେଳେ ତଳ ନଗଡ଼ା ପାନୀୟ ଜଳ ପ୍ରକଳ୍ପରୁ କିଛି ପାଇପ୍ ଚୋରି ହୋଇଥିବା ଜଣାପଡ଼ିଥିଲା। ଯାହାକି ପାନୀୟ ଜଳ ଯୋଗାଣ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା।