Tue. Mar 10th, 2026

୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ନେଇ ଲାଗିରହିଛି ଅନିଶ୍ଚିତତା ଓ ଦ୍ୱନ୍ଦ୍ୱ; ରାଜକ୍ଷମା ଆବେଦନର ଖାରଜ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ନିର୍ଭୟାଙ୍କ ମା’

226 Views

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ମୁକେଶ ସିଂହ ଫାଶୀରୁ ବଞ୍ଚିବା ପାଇଁ ସର୍ବଶେଷ ଅସ୍ତ୍ର ପ୍ରୟୋଗ କରି ରାଷ୍ଟ୍ରପତି ରାମନାଥ କୋବନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ମୁକେଶ ସିଂହର ଏହି ରାଜକ୍ଷମା ଆବେଦନ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ବିଚାରାଧୀନ ଅବସ୍ଥାରେ ରହିଛି।

ଏପ୍ରକାର ସ୍ଥିତିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଜି ଦିଲ୍ଲୀ ହାଇକୋର୍ଟରେ ଆଗତ ଏକ ଯାଚିକାରେ କୁହାଯାଇଥିଲା ଯେ ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଦୋଷୀକୁ ଫାଶୀ ଦିଆଯାଇପାରିବ ନାହିଁ। ରାଷ୍ଟ୍ରପତି କ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବା ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାକୁ ହେବ ବୋଲି ଆବେଦନରେ ଦର୍ଶା ଯାଇଥିଲା। ଅନ୍ୟପକ୍ଷରେ ନିର୍ଭୟା ଦୋଷୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଏବେ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ବିଚାରାଧୀନ ଅବସ୍ଥାରେ ଥିବାରୁ ଡେଥ୍‌ ୱାରେଣ୍ଟକୁ ରଦ୍ଦ କରାଯାଉ। ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଚଳିତ ଜେଲ୍‌ ଆଇନ ଅନୁସାରେ ରାଷ୍ଟ୍ରପତିଙ୍କ ରାଜକ୍ଷମା ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦିଆଯିବ ବ୍ୟବସ୍ଥା ରହିଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା।

ତେବେ, ଆଜି ଅପରାହ୍ଣରେ ଦିଲ୍ଲୀ ହାଇକୋର୍ଟ ଏହି ଯାଚିକାକୁ ଖାରଜ କରିଦେବା ସହ ଡେଥ୍‌ ୱାରେଣ୍ଟକୁ ରଦ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଏଥିସହ ଏ ପ୍ରସଙ୍ଗରେ ନିର୍ଭୟା ଦୋଷୀଙ୍କ ଓକିଲ ଯଦି ଚାହିଁବେ ତେବେ ସେ ତଳ ଟ୍ରାଏଲ କୋର୍ଟରେ ଆବେଦନ କରିପାରିବେ ବୋଲି କହିଛନ୍ତ୍‌ି ଦିଲ୍ଲୀ ହାଇକୋର୍ଟ।

ଏପ୍ରକାରର ପରିସ୍ଥିତିରେ ଆସନ୍ତା ୨୨ ତାରିଖରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ନେଇ ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ଉପୁଜି ଥିବା ବେଳେ ନିର୍ଭୟା ଦୋଷୀଙ୍କ ରାଜକ୍ଷମା ଆବେଦନକୁ ଅବିଳମ୍ବେ ଖାରଜ କରିଦେବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଦାବୀ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ।

By amfnews

Related Post