Sat. Mar 7th, 2026

୨୦୨୧ରୁ ଓଡ଼ିଆ ଭାଷାରେ ଜେଇଇ ମେନ୍‌

260 Views

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୨୧ ମସିହା ଜାନୁଆରିରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍‌ଟିଏ)କୁ ନିର୍ଦେଶ ଦିଆଯାଇଛି। ଓଡ଼ିଆ ସମେତ ୧୧ଟି ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଏବେ ହିନ୍ଦୀ, ଇଂରାଜୀ ଓ ଏକମାତ୍ର ଆଞ୍ଚଳିକ ଭାଷା ଭାବେ ଗୁଜୁରାଟିରେ ପ୍ରଶ୍ନପତ୍ର ଆସୁଛି। ତେବେ କେତେକ ରାଜ୍ୟ ନିଜର ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବାରମ୍ବାର ଦାବି କରି ଆସୁଥିଲେ। ତାହାକୁ ବିଚାରକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛି। ୯ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଆ, ଅହମିୟା, ବଙ୍ଗଳା, ଗୁଜୁରାଟି, କନ୍ନଡ଼, ମରାଠି, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷା ରହିଛି। ଜେଇଇ ମେନ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ଆର୍କିଟେକଚର ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ ହୋଇଥାନ୍ତି। ବିଶେଷକରି ଏନ୍‌ଆଇଟି, ଆଇଆଇଆଇଟି‌, ସରକାରୀ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ଲାଗି ଏହି ପରୀକ୍ଷା ହେଉଛି। ଏହି ପରୀକ୍ଷା ଦ୍ବାରା ଛାତ୍ରଛାତ୍ରୀ ଆଇଆଇଟି ଲାଗି ଅନୁଷ୍ଠିତ ହେଉଥିବା ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ପାଇଁ ଯୋଗ୍ୟତା ଅର୍ଜନ କରିଥାନ୍ତି।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୁଜୁରାଟି ଭାଷାରେ ପ୍ରଶ୍ନପତ୍ର ହେଉଥିବାରୁ କିଛି ମାସ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାକାର ଆଞ୍ଚଳିକ ଭାଷା ବଙ୍ଗଳାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ଦାବି କରିଥିଲେ। ଏନେଇ ସରକାରଙ୍କ ପକ୍ଷରୁ ଏନ୍‌ଟିଏକୁ ଚିଠି ଲେଖାଯାଇଥିଲା। ତାହା ଉପରେ ବିଚାର କରି ଏଭଳି ନିଷ୍ପତ୍ତି ନିଆଯାଇଛି। ୨୦୨୦ରେ ଲାଗୁ କରିବାକୁ ଯୋଜନା କରାଯାଇଥିଲା। ତେବେ ୨୦୨୦ରେ ହେବାକୁ ଥିବା ଜେଇଇ ମେନ୍‌ ଲାଗି ତାରିଖ ଧାର୍ଯ୍ୟ ହୋଇସାରିଛି। ତେଣୁ ୨୦୨୧ ଜାନୁଆରିରେ ହେବାକୁ ଥିବା ପରୀକ୍ଷା‌ରୁ ଲାଗୁ କରିବାକୁ ସ୍ଥିର ହୋଇଛି।

ସୂଚନାଯୋଗ୍ୟ ଯେ ଏବେ ସର୍ବଭାରତୀୟସ୍ତରରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ଆସୁଛି। ତେବେ ବହୁ କମ୍‌ ସଂଖ୍ୟାରେ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଛନ୍ତି। ସଫଳତା ହାର ମଧ୍ୟ ବହୁତ କମ୍‌। ତେଣୁ ଜେଇଇ ମେନ୍‌ରେ କେତେ ସଂଖ୍ୟାରେ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ। ପ୍ରତିବର୍ଷ ଓଡ଼ିଶାରୁ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେଉଛନ୍ତି।

By amfnews

Related Post