Sun. Jan 12th, 2025

୨୦୧୯ ପାଇଁ ବିରୋଧୀଙ୍କ ମହାବୈଠକ ଆଜି, ଯୋଗଦେବେ ସୋନିଆ-ରାହୁଲ-କେଜ୍ରିୱାଲ

By amfnews Dec 10, 2018 #Featured
96 Views

ନୂଆଦିଲ୍ଲୀ, ଡିସେମ୍ବର ୧୦ : ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିରୋଧୀ ଦଳର ନେତାମାନେ ଅଧିକ ସକ୍ରିୟ ହୋଇଛନ୍ତି । ନିର୍ବାଚନ ଫଳାଫଳ ଡିସେମ୍ବର ୧୧ରେ ଆସିବ । ମାତ୍ର ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧୀ ନେତାମାନେ ସୋମବାର ଏକ ମହାବୈଠକ ଡାକିଛନ୍ତି । ଏହି ବୈଠକର ଆହ୍ୱାନ କରିଛନ୍ତ ତେଲୁଗୁ ଦେଶମ ପାର୍ଟିର ବରିଷ୍ଠ ନେତା ଚନ୍ଦ୍ରବାବୁ ନାଇଡୁ । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ସହିତ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ।

ବୈଠକରେ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଟାର୍ଗେଟ କରିବା ନେଇ ଆଲୋଚନା କରିପାରନ୍ତି । ଏଥି ସହିତ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରୂପରେଖ ପ୍ରସ୍ତୁତ କରି ପାରନ୍ତି । ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦକ କୈଳାଶ ବିଜୟବର୍ଗୀୟ ବିରୋଧୀଙ୍କ ମେଳି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋଦୀଙ୍କ ମୁକାବିଲା କରିବା ପାଇଁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଉପରେ ଆଧାରିତ ରିପୋଟ ଅନୁସାରେ ବୈଠକରେ ବିରୋଧୀ ଦଳର ନେତାମାନେ ଏକଜୁଟ ହୋଇ ରଣନୀତି ପ୍ରସ୍ତୁତ କରିପାରନ୍ତି । ମହାବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ନ୍ୟାସନାଲ କନଫ୍ରେନ୍ସର ମୁଖ୍ୟ ଫାରୁଖ ଅବଦୁଲା ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ । ସେହିଭଳି ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ସିପିଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସଂପାଦକ ଏସ ସୁଧାକର ରେଡ୍ଡି ବୈଠକରେ ଯୋଗଦେଇପାରନ୍ତି । ଡିଏମକେ ନେତା ଏମକେ ଷ୍ଟାଲିନ, ଆମ ଆଦମୀ ନେତା ଅରବିନ୍ଦ କେଜ୍ରିୱାଲ, ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ତେଜସ୍ୱୀ ଯାଦବ ଓ ଏଲଜେଡି ମୁଖ୍ୟ ଶରଦ ଯାଦବ ଏକାଠି ହେଉଛନ୍ତି ।

By amfnews

Related Post