Sat. Mar 7th, 2026

୨୦ରୁ କଂଗ୍ରେସର ତିନି ଦିନିଆ ଆନ୍ଦୋଳନ

232 Views

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ୩ ଦିନ ବ୍ୟାପି ଜିଲ୍ଲା ସ୍ତରରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଅର୍ଥନୈତିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା, ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ ସର୍ବୋପରି କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ କୃଷକ ଓ ଜନମାରଣ ନୀତି ବିରୋଧରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଦଳ ପକ୍ଷରୁ ୨୦, ୨୧ ଓ ୨୨ ତାରିଖରେ ଧାରଣା, ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ ତାରିଖରେ ଭୁବନେଶ୍ବରରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୀପାଦାସ ମୁନସିଙ୍କ ସମେତ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗଦେବା ପାଇଁ ସ୍ଥିର କରାଯାଇଛି।

ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକମାନ ସେମାନଙ୍କ ଜିଲ୍ଲା ସ୍ତରରୁ ସଂଗ୍ରହ କରିଥିବା ମତାମତ ଓ ତଥ୍ୟକୁ ବୈଠକରେ ପିସିସି ସଭାପତିଙ୍କୁ ପ୍ରଦାନ କରିଥିଲେ। ଅନିର୍ବାଯ୍ୟ କାରଣରୁ କେତେ ଜଣ ଜିଲ୍ଲା ପର୍ଯ୍ୟବେକ୍ଷକ ସେମାନଙ୍କ ଜିଲ୍ଲା ଗସ୍ତ କରିପାରି ନଥିବାରୁ ସେସବୁ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ପିସିସି ସଭାପତି ଚାହିଁଲେ ପରିବର୍ତ୍ତନ କରି ପ୍ରକ୍ରିୟାକୁ ସମାପ୍ତ କରିପାରିବେ। ଏ ନେଇ ପିସିସି ସଭାପତିଙ୍କୁ ସର୍ବସମ୍ମତିକ୍ରମେ କ୍ଷମତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଦଳ ପକ୍ଷରୁ ପ୍ରସ୍ତାବିତ ଆନ୍ଦୋଳନର ନେତୃତ୍ବ ଜିଲ୍ଲା ସ୍ତରରେ ୨୦୧୯ ସାଧାରଣ ନିର୍ବାଚନରେ ଦଳର ସାଂସଦ ପ୍ରାର୍ଥୀମାନେ ନେବେ। ଜିଲ୍ଲା ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ କାର୍ଯ୍ୟକ୍ରମକୁ ଅନୁଧ୍ୟାନ ଓ ନିରୀକ୍ଷଣ କରି ପସିସିକୁ ତଥ୍ୟ ପ୍ରଦାନ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ପାଇଁ ବହୁ ସଂଖ୍ୟାରେ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ, କଂଗ୍ରେସ କର୍ମୀ, ପ୍ରାକ୍ତନ ବିଧାୟକ, ପ୍ରାକ୍ତନ ସାଂସଦ, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପିସିସି ଓ ଏଆଇସିସି ସଦସ୍ୟ, ରାଜ୍ୟ କଂଗ୍ରେସର ପ୍ରାକ୍ତନ ପଦାଧିକାରୀ, ଛାମୁଆ ସଂଗଠନଗୁଡ଼ିକ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି।

ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ଅଧିରାଜ ପାଣିଗ୍ରାହୀ, ଦାଶରଥୀ ଗମାଙ୍ଗ, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା, ଭୂଜବଳ ମାଝୀ, ଯଜ୍ଞେଶ୍ବର ବାବୁ, ଦେବାଶିଷ ପଟ୍ଟନାୟକ, ନବୀନ ନନ୍ଦ, ଉମାବଲ୍ଲଭ ରଥ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସତ୍ୟପ୍ରକାଶ ନାୟକ, ଜ୍ଞାନଦେବ ବେହୁରା, ଯୋଗେଶ ଅଗ୍ରଵାଲ, ସମରେନ୍ଦ୍ର ମିଶ୍ର, ବିସ୍ମୟ ମହାପାତ୍ର ପ୍ରମୁଖ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ।

By amfnews

Related Post