Sun. Mar 8th, 2026

୧୮ରେ ପୁଣି ଏକ ଲଘୁଚାପ: ୩ ଦିନ ବର୍ଷିବ

208 Views

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ସେହିଭଳି ସମୁଦ୍ରପତ୍ତନର ୦.୯ କିଲୋମିଟର ଊର୍ଦ୍ଧ୍ୱରେ ପଶ୍ଚିମବଙ୍ଗ ଓ ବିହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଜି ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୯ରୁ ୨୧ ଯାଏ ତିନିଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ୧୮ ତାରିଖ ସନ୍ଧ୍ୟା କିମ୍ବା ୧୯ ତାରିଖ ସକାଳ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ୨୦ ତାରିଖରେ ଲଘୁଚାପ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ଯାଏ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଖୋର୍ଦ୍ଧା, ନୟାଗଡ଼, ପୁରୀରେ ମଧ୍ୟମ ଧରଣର ବର୍ଷା ହେବ। ଲଘୁଚାପର ପ୍ରଭାବରେ ୧୯ ତାରିଖ ରାତିରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ୨୧ ତାରିଖ ରାତିଯାଏ ବର୍ଷିବ। ୨୨ ତାରିଖରେ ଏହା ଉତ୍ତର-ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଛତିଶଗଡ଼ ଅଭିମୁଖେ ଅତିକ୍ରମ କରିବ ଏବଂ ୨୨ ତାରିଖ ବେଳକୁ ଓଡ଼ିଶାରେ ବର୍ଷା କମିଯିବ ଓ ପାଗ ଶୁଖିଲା ରହିବ ବୋଲି ଶ୍ରୀ ସାହୁ ପୂର୍ବାନୁମାନ କରିଛନ୍ତି।ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଭିନ୍ନ କହୁଛି। ପ୍ରଫେସର ପଶୁପାଳକଙ୍କ ଅନୁଯାୟୀ, ଉତ୍ତର-ପଶ୍ଚିମ ପରିବର୍ତ୍ତେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା ରହିଛି। ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୯ ତାରିଖରେ ଲଘୁଚାପର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଏଭଳି ବର୍ଷା ଜାରି ରହିବ ଏବଂ ଉତ୍ତର ଓଡ଼ିଶା ମେଘମୁକ୍ତ ରହିବା ସହ ପାଗ ଶୁଖିଲା ରହିବା ସମ୍ଭାବନା ଅଧିକ।

By amfnews

Related Post