Sat. Mar 7th, 2026

୧୭ ମହଲା କୋଠାରୁ ନବଜାତ କନ୍ୟାକୁ ତଳକୁ ଫିଙ୍ଗିଦେଲେ ମହିଳା

171 Views

ମୁମ୍ବାଇ: ଗୁରୁବାର ଦିନ ପଶ୍ଚିମ କାନ୍ଦିବ୍ଲି ଠାରେ ଥିବା ‘ସ୍ଲମ୍‌ ରିହାବିଲିଟେସନ୍‌ ଅଥରିଟି’ (ଏସ୍‌ଆର୍‌ଏ) ଗୋଟାଏ ୨୩ ମହଲାବିଶିଷ୍ଟ କୋଠାର ୧୭ ତାଲାରୁ ଜଣେ ମହିଳା ଜନ୍ମ କରିବାର କିଛି କ୍ଷଣ ପରେ ତାଙ୍କ ଝିଅକୁ ତଳକୁ ଫିଙ୍ଗି ମାରିପକାଇଛନ୍ତି।

ଜଳଶୁଷ୍କତା ନିମନ୍ତେ ଚିକିତ୍ସିତ ହେଉଥିବା ସେ ୨୨ ବର୍ଷୀୟ ମହିଳା ସରକାରୀ ଡାକ୍ତରଖାନାରୁ ବାହାରିବା ପରେ ପୁଲିସ ତାଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯିବା ପରେ ଝିଅଟି ମୃତା ବୋଲି ଜଣାପଡ଼ିଥିଲା।

କାନ୍ଦିବ୍ଲି ଥାନାର ବରିଷ୍ଠ ପୁଲିସ ଇନ୍‌ସ୍‌ପେକ୍ଟର୍‌ ନୀତିନ ପୋଣ୍ଡୁଲକେ କହିଛନ୍ତି: ପିଲାଟିକୁ ତା’ର ମାଆ ପକାଇ ଦେଇଛନ୍ତି। ପୁଲିସର ସନ୍ଦେହ ହେଉଛି ଯେ ସ୍ୱାମୀଙ୍କ ପରକୀୟ ପ୍ରୀତି ଏବଂ ଆର୍ଥିକ ସମସ୍ୟା ଯୋଗୁଁ ମହିଳାଜଣକ ରାଗିଯାଇ ପିଲାଟିକୁ ଫିଙ୍ଗି ମାରିପକାଇଛନ୍ତି। ଝିଅଟି ଘରେ ଜନ୍ମ ହୋଇଥିଲା ଏବଂ ଘଟଣାଟି ଅପରାହ୍ଣ ୩ଟା ସମୟରେ ଘଟିଥିବା କଥା ପୁଲିସ କହିଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି: ଆପଣାଛାଏଁ ପିଲା ଜନ୍ମକରିବାକୁ ସେ ଏକାକିନୀ ଗାଧୁଆଘରକୁ ଯାଇଥିଲେ। ଜନ୍ମ କରିବା ପରେ ପିଲାଟିକୁ ସେ ଝରକା ବାହାରକୁ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତ ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ ପରକୀୟା ପ୍ରୀତି କରୁଛନ୍ତି ବୋଲି ତାଙ୍କର ସନ୍ଦେହ ହେଉଛି। ସେଥିପାଇଁ ସେ ଘରଖର୍ଚ୍ଚ ପାଇଁ ପଇସାପତ୍ର ଦେଉନାହାନ୍ତି। ପୂର୍ବରୁ ଥିବା ଦୁଇଟି ପିଲାଙ୍କୁ ଲାଳନପାଳନ କରିବାକୁ ତାଙ୍କୁ ଖୁବ୍‌ କଷ୍ଟ କରିବାକୁ ପଡୁଛି।

By amfnews

Related Post