Sun. Mar 8th, 2026

୧୬ରୁ ଆରଏସଏସର ୩ ଦିନିଆ ଜାତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ

Jabalpur: RSS workers practicing Yoga in the manifesto of Rashtriya Swayamsevak Sangh in Jabalpur on Sunday.PTI Photo (PTI2_11_2018_000228B)
174 Views

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଆସନ୍ତା ୧୬ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ପ୍ରଥମଥର ପାଇଁ ଓଡ଼ିଶାରେ ଆରଏସଏସ ପକ୍ଷରୁ ଏଭଳି ବୈଠକ ଅନୁଷ୍ଠିତ ହେଉଥିବାବେଳେ ଏହା ୩ଦିନ ଧରି ଚାଲିବ ।

ଏହି ବୈଠକ ସମ୍ପର୍କରେ ଆରଏସଏସ୍ ଓଡ଼ିଶା ଶାଖା ଆଜି ଆନୁଷ୍ଠାନିକ ପ୍ରେସ୍ ରିଲିଜ୍ ଜାରି କରି କହିଛି ଯେ, ଆସନ୍ତା ୧୬ରୁ ୧୮ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ୨ନମ୍ବର କ୍ୟାମ୍ପସରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସଂଘ ସରସଂଘଚାଳକ ମୋହନ ଭାଗବତ, ସରକାର୍ଯ୍ୟବାହ ଭୈୟାଜୀ ଯୋଶୀଙ୍କ ସମେତ ସମସ୍ତ ପ୍ରାଦେଶିକ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହକ, ପ୍ରାନ୍ତ ପ୍ରଚାରକ ସମେତ ମୋଟ ୩୮୦ଜଣ କର୍ମକର୍ତ୍ତା ଯୋଗ ଦେବେ।

ଆରଏସଏସ୍ ସୂତ୍ର ଅନୁସାରେ ବିଜେପି ଓ ଆରଏସଏସ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରେ। ସଂଘ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ କେଉଁ ସବୁ ଏଜେଣ୍ଡା ଆଧାରରେ ସଂଗଠନ ଆଗକୁ ବଢ଼ିବ ତାହା ନିଷ୍ପତ୍ତି ହୋଇଥାଏ। ଯାହାକୁ ସଂଘର ମାର୍ଚ୍ଚ ମାସରେ ହେବାକୁ ଥିବା ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଅନୁମୋଦନ କରାଯାଇଥାଏ। ଏହି ବୈଠକରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗତପ୍ରସାଦ ନଡ୍ଡାଙ୍କ ସମେତ ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷଙ୍କ ସମେତ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୭ରୁ ୯ତାରିଖ ମଧ୍ୟରେ ରାଜସ୍ଥାନର ପୁଷ୍କରରେ ସଂଘ ଓ ବିଜେପି ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଭୁବନେଶ୍ୱରରେ ପୁଣିଥରେ ସଂଘ ଓ ବିଜେପିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଆରଏସଏସ୍ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ମହାରାଷ୍ଟ୍ରର ଭାୟାଣ୍ଡରରେ ହୋଇଥିଲା। ପ୍ରତିବର୍ଷ ଦଶହରାରୁ ଦୀପାବଳି ମଧ୍ୟରେ ସଂଘର ଏହି ବୈଠକ ଅନୁଷ୍ଠିତ ହୋଇଥାଏ।

By amfnews

Related Post