Sat. Mar 7th, 2026

୧୦ ବର୍ଷର ପୁଅକୁ ଅନାଥ କରି ଚାଲିଗଲେ ସଦାନନ୍ଦ ଓ ଋତୁପର୍ଣ୍ଣା

181 Views

ନୟାଗଡ଼, ନଭେମ୍ବର ୨୯ : ଖଣ୍ଡପଡ଼ା ମଙ୍ଗଳାସାହିରେ ନିଆଁରେ ପୋଡ଼ି ହୋଇଥିବା ଦମ୍ପତିଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସଦାନନ୍ଦ ପ୍ରଧାନ ଓ ଋତୁପର୍ଣ୍ଣା ରଥ।

ଗତକାଲି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହା ପରେ ସଦାନନ୍ଦ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଋତୁପର୍ଣ୍ଣା ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବି ନିଆଁରେ ପୋଡ଼ି ହୋଇଥିଲେ। ସଦାନନ୍ଦଙ୍କର ଶରୀରର ୯୦ ପ୍ରତିଶତ ଜଳି ଯାଇଥିବା ବେଳେ ଋତୁପର୍ଣ୍ଣାଙ୍କ ଶରୀର ୭୦ ପ୍ରତିଶତ ଜଳି ଯାଇଥିଲା।

ପଡ଼ିଶା ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମୃତ୍ୟୁ ଘଟିଛି।

ସଦାନନ୍ଦ ଓ ଋତୁପର୍ଣ୍ଣା ପ୍ରେମ ବିବାହ କରିଥିଲେ। ସେମାନଙ୍କର ୧୦ ବର୍ଷର ଗୋଟିଏ ପୁଅ ଅଛି। ତେବେ କେଉଁ କାରଣ ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା, ତାହା ଜଣାପଡ଼ିନି।

By amfnews

Related Post