Sun. Nov 24th, 2024
354 Views

 ପ୍ରଶାନ୍ତ ପଟ୍ଟନାୟକ

ଓଡ଼ିଶାର ଜନସାଧାରଣଙ୍କୁ ଚିକିତ୍ସାର ସମସ୍ତ ସୁବିଧା ଯେଗେଇ ଦେବା ଲାଗି ଡ଼ିଡ଼ିମ୍ବ ପିଟୁଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ସରକାରୀ ପ୍ରବର୍ତ୍ତକମାନଙ୍କର ଦାବି ସତ୍ୱେ ରାଜ୍ୟର ଜନସାଧାରଣ ବହୁ କ୍ଷେତ୍ରରେ ଚିକିତ୍ସାର ସୁବିଧା ପାଉନଥିବା ଅଥବା ଚିକିତ୍ସକମାନଙ୍କର ଚରମ ଅବହେଳା ଯୋଗୁଁ ରୋଗୀମାନେ ପ୍ରାଣ ହରାଉଥିବା ସମ୍ବାଦ ପ୍ରାୟତଃ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି ।

ଏହିଭଳି ଚିକିତ୍ସା ଅଭାବରୁ ମୋର ଅନ୍ୟତମ ବନ୍ଧୁ ତଥା ଛତ୍ରପୁରର ପୁର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ଜାନୁଆରୀ ୨ତାରିଖ ଦିନ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲରେ ମର୍ମନ୍ତୁଦ ମୃତ୍ୟୁ ଘଟିଥିବା ସମ୍ବାଦ ମୋତେ ଅତି ମାତ୍ରାରେ ଦୁଃଖିତ ଓ ମର୍ମାହତ କରିପକାଇଛି ।

୧୯୩୮ ମସିହା ଜୁଲାଇ ୦୧ ତାରିଖରେ ଜନ୍ମଗ୍ରହଣ କରିଥିବା ଦୈତାରୀ ବେହେରାଙ୍କ ସହ ମୋର ପରିଚୟ ଓ ଘନିଷ୍ଠତା ସେ ଉତ୍କଳ କଂଗ୍ରେସରେ ଯୋଗଦେବା ପରେ । ବିଜୁ ପଟ୍ଟନାୟକଙ୍କ ପ୍ରତି ତାଙ୍କ ହୃଦୟରେ ଥିବା ଭକ୍ତି, ସମ୍ମାନ ଓ ଆନୁଗତ୍ୟ ଯୋଗୁଁ ସେ ବିଜୁ ବାବୁଙ୍କର ନିକଟତମ ହୋଇ ଶ୍ରଦ୍ଧା ଭାଜନ ହୋଇପାରିଥିଲେ । ଜଣେ ବିଧାୟକ ଭାବରେ ନିଜ ନିର୍ବାଚନ ମଣ୍ଡଳି ବ୍ୟତୀତ ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କ ଦୁଃଖ ଦୁର୍ଦଶା ବେଳେ ସେ ସର୍ବଦା ସହଯୋଗର ହାତ ବଢ଼ାଉଥିଲେ । ଏହି ଜିଲ୍ଲାର ଗୁରାଣ୍ଡି ଗ୍ରାମରେ ଘଟିଥିବା ଧ୍ୱୋସଂକାରୀ ଅଗ୍ନିକାଣ୍ଡ ପରେ ଜିଲ୍ଲାର ଅନ୍ୟତମ ତୁଙ୍ଗ ନେତା ତଥା ଧରାକୋଟର ରାଜା ଶ୍ରୀ ଅନନ୍ତ ନାରାୟଣ ସିଂ ଦେଓଙ୍କ ନେତୃତ୍ୱରେ ଗୁରାଣ୍ଡିକୁ ପରିସ୍ଥିତି ଅନୁଧ୍ୟାନ ପାଇଁ ଯେଉଁ ଜନପ୍ରତିନିଧିମାନେ ଯାଇଥିଲେ ସେମାନଙ୍କ ମଧ୍ୟରେ ବନ୍ଧୁ ଦୈତାରୀ ଥିଲେ ଅନ୍ୟତମ । ଅଗ୍ନି ପ୍ରପିଡ଼ିତ ଗ୍ରାମବାସୀମାନଙ୍କ ଦୁଃଖ ଦୁର୍ଦଶା ଶୁଣିବା ସମୟରେ ସେ ଅଶ୍ରୁ ସମ୍ବରଣ କରିପାରୁନଥିଲେ । ତାଙ୍କଭଳି ସମ୍ବେଦନଶୀଳ ଲୋକପ୍ରତିନିଧି ଯେ ଆମ ରାଜ୍ୟରେ ବିରଳ ଏକଥା ଜୋର ଦେଇ କୁହାଯାଇପାରିବ ।
ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ନିକଟରେ ଅତିମାତ୍ରାରେ ଶ୍ରଦ୍ଧା ଓ ବିଶ୍ୱାସ ଭାର୍ଜନ ଥିବା ବନ୍ଧୁ ଦୈତାରୀ ନିଜର ସରଳ ଓ ନିଷ୍କପଟ ଚରିତ୍ର ଯୋଗୁଁ ରାଜନୈତିକ ପେଞ୍ଚର ସରବ୍ୟ ହୋଇ ଦଳୀୟ ଟିକେଟରୁ ଏବଂ ବିଜୁଙ୍କ ଆସ୍ଥାରୁ ବଞ୍ଚିତ ହେବା ପରେ କଂଗ୍ରେସରେ ଯୋଗ ଦେଇଥିଲେ ।

ସେ କଂଗ୍ରେସ ଟିକେଟରେ ମଧ୍ୟ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବାର ଗୌରବ ଲାଭ କରିଥିଲେ । ମାତ୍ର ପରବର୍ତ୍ତି କାଳରେ ନିର୍ବାଚନ ଗୁଡ଼ିକରେ ମୁଖ୍ୟତଃ ଅର୍ଥବଳ ଓ ବାହୁବଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରୁ ଦୈତାରୀ ନିର୍ବାଚନରେ ବିଜୟ ହାସଲ କରିବା ସମ୍ଭବ ହୋଇନଥିଲା । ତଥାପି ସେ ଲୋକସମ୍ପର୍କ ଓ ଜନସାଧାରଣଙ୍କ ସେବା କରିବାରୁ ନିବୃତ୍ତ ହୋଇନଥିଲେ । କଂଗ୍ରେସ ଦଳରେ ମଧ୍ୟ ସେ କ୍ରମେ ଅବହେଳାର ଶିକାର ହୋଇଥିଲେ । ପରିଶେଷରେ ଚଳିତ ବର୍ଷ (୨୦୨୦) ଜାନୁଆରୀ ୨ ତାରିଖରେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କୁ ଆଇ ସି ୟୁରେ ରଖି ଚିକିତ୍ସା କରିବା ଲାଗି କତ୍ତୃପକ୍ଷ ପଦକ୍ଷେପ ନେବା ପରିବର୍ତ୍ତେ ସାଧାରଣ ବେଡ଼ରେ ରଖି ଚିକିତ୍ସାରେ ଅବହେଳା କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।

ବନ୍ଧୁ ଦୈତାରୀଙ୍କ ବିୟୋଗକୁ ରାଜନୈତିକ ଦଳ ଏବଂ ଦଳୀୟ ନେତାମାନେ କିଭଳି ଭାବରେ ଗ୍ରହଣ କରିବେ ତାହା ମୁଁ ଜାଣିନଥିଲେ ମଧ୍ୟ ତାଙ୍କର ଅକାଳ ବିୟୋଗ ମୋ ପାଇଁ ଏକ ବ୍ୟକ୍ତିଗତ ଓ ଯନ୍ତ୍ରଣା ଦାୟକ ଅପୂରଣୀୟ କ୍ଷତି ବୋଲି ମୁଁ ଅନୁଭବ କରୁଛି ।

ଦୈତାରିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ଏହା କେବଳ ଲୌକିକତା ଦୃଷ୍ଟିରୁ ଅଥବା ଆନ୍ତରିକତା ସହ କରିଛନ୍ତି ତାହା କେବଳ ସେ ହିଁ ଜାଣିଥିବେ । ତାଙ୍କର ଯଦି ଆନ୍ତରିକତା ଥାଏ ତେବେ ଯେଉଁ ପରିସ୍ତିତିରେ ଦୈତାରୀଙ୍କ ଦେହାନ୍ତ ଘଟିଲା ସେ ସମ୍ପର୍କରେ ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରିଥିବା ଚିକିତ୍ସକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ତାହା ହେଲେ ଦୈତାରୀ ଆଉ ଜୀବନ ଲାଭ ତ କରିବେ ନାହିଁ କିନ୍ତୁ ଚୀକୀତ୍ସକମାନଙ୍କ ଖାମଖିଆଲି ମନୋଭାବ ଓ ଅବହେଳା ଯୋଗୁଁ ସାଧାରଣ ରୋଗୀମାନଙ୍କୁ ଉପଯୁକ୍ତସେବା ଯୋଗାଇ ମୃତ୍ୟୁ ମୁହଁରୁ ବଞ୍ଚାଇବା ଲାଗି ଉଦ୍ୟମ କଲେ ତାହା ଦୈତାରିଙ୍କ ପ୍ରତି ଚରମ ଶ୍ରଦ୍ଧାଞ୍ଜଳି ହେବ ଏଥିରେ ସନ୍ଦେହ ନାହିଁ ।

By amfnews

Related Post