Sat. Jun 7th, 2025

ହୀରାକୁଦ ନିଷିଦ୍ଧାଞ୍ଚଳ ଭିଡିଓରେ ମନ୍ତ୍ରୀଙ୍କ ଝିଅ ! ମନ୍ତ୍ରୀ କହିଲେ, ‘ମୋ ଝିଅ ଜଣେ ସାବାଳିକା, ତାକୁ ସେ ସଂପର୍କରେ ପଚରାଯାଉ।’

By amfnews Dec 17, 2019 #Featured
408 Views

ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଞ୍ଚଳ ଭିଡିଓରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଲି ଥିବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ଦେଇଛନ୍ତି। ଘଟଣା ସଂପର୍କରେ ସେ କହିଛନ୍ତି, ‘ମୁଁ ଏହି ଭିଡିଓ ଦେଖିନାହିଁ କି ଜାଣିନାହିଁ। ମୋ ଝିଅ ଜଣେ ସାବାଳିକା, ତାକୁ ସେ ସଂପର୍କରେ ପଚରାଯାଉ, ଆଇନ ତା’ ବାଟରେ ଯିବ।’

ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ଫଟୋ ଉଠାଇବା ବା ଭିଡିଓ ରେକର୍ଡିଂ କରିବା ନିଷିଦ୍ଧ ଓ ଦଣ୍ଡନୀୟ । ଏହା ସତ୍ତ୍ୱେ ବି ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାଏ ଓ ଫେଶନ୍ ବ୍ଲଗର୍ ଲଭିନା ନାୟକଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଲି ମୁଖ୍ୟବନ୍ଧ ଉପରେ ନିଜର ଭିଡିଓ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ସମ୍ବଲପୁର ଏସପି କନୱାର ବିଶ‌ାଲ୍ ସିଂ ହୀରାକୁଦ୍ ଏସଡିପିଓଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।

ଏହି ଘଟଣାକୁ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷ ଗୁରୁତ୍ୱ ସହ ନେଇଥିବାବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଆରମ୍ଭ କରି ଦେଇଥିଲେ। ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ଅଭିନେତ୍ରୀ ଏଲିନା ସାମନ୍ତରାଏ କ୍ଷମା ମାଗିଥିବା ବେଳେ ସନ୍ଧ୍ୟାରେ ପ୍ରକୃତି ମିଶ୍ର ଏହି ଘଟଣାକୁ ନେଇ କ୍ଷମା ମାଗି କହିଛନ୍ତି, ‘ ଅନୁମତି ନେଇ ଯାଇଥିଲୁ। କିନ୍ତୁ ତାହା ନିଷିଦ୍ଧାଞ୍ଚଳ ଓ ସେଠାରେ ଫଟୋ ଉଠାଇବା ଓ ଭିଡିଓ କରିବା ମନା ବୋଲି ଜାଣି ନଥିଲୁ। ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି ସୁଟିଂ କରିଥିଲୁ। ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ।’

By amfnews

Related Post