ସୁନ୍ଦରଗଡ଼ : ମଦ କେମିତି ମରଣକୁ ଡାକି ଆଣେ, ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଥାନା ଡୁମାବାହାଲ ସିପୋକଛାର ଗାଁରେ ଶନିବାର ବିଳମ୍ବିତ ରାତିରେ ସଂଘଟିତ ଏକ ନିର୍ମମ ହତ୍ୟାକାଣ୍ଡ ତା’ର ନିଚ୍ଛକ ଉଦାହରଣ। ମଦ ନିଶାରେ ଚୁର୍ ଗାଁର ସଉକି ପ୍ରଧାନ ଟାଙ୍ଗିଆରେ କିରଣ ବାଦୀଙ୍କ ହାତକୁ ହାଣି ଦି’ଗଡ଼ କରିଦେବା ପରେ ଗୁରୁତର କିରଣଙ୍କ ପରିବାର ଲୋକେ ସଉକିକୁ ହାତଗୋଡ଼ ବାନ୍ଧି ପିଟି ପିଟି ମାରି ଦେଇଛନ୍ତି। ଖବର ପାଇ ଲେଫ୍ରିପଡ଼ା ପୁଲିସ ଓ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ବଳଭଦ୍ର ଦୀପଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତଗୋଡ଼ ବନ୍ଧା ଅବସ୍ଥାରେ ଥିବା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତି। ଗୁରୁତର କିରଣଙ୍କୁ ରାତିରେ ବୁର୍ଲା ନିଆଯାଇ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି। କିରଣ କି ତାଙ୍କ ପରିବାର ସହ ସଉକିର କୌଣସି ଶତ୍ରୁତା ନଥିବା ବେଳେ ମଦ ନିଶାରେ ହିଁ ସେ କିରଣଙ୍କୁ ଆକ୍ରମଣ କରିବା ଓ ଶେଷରେ ପ୍ରତି ଆକ୍ରମଣରେ ତା’ ଜୀବନ ଯାଇଥିବା ଚର୍ଚ୍ଚା ହେଉଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି କିରଣଙ୍କ ବାପାଙ୍କୁ ଅଟକ ରଖିଛି।
120 Views