Sun. Nov 24th, 2024

ହାତୀକୁ ଏବେ ହତାଦର

By amfnews Feb 4, 2019 #Featured
222 Views

ଢେଙ୍କାନାଳ : ହାତୀ ହେଉଛି ଜାତୀୟ ସମ୍ପତ୍ତି। ତମର କ’ଣ ଆମର କ’ଣ? ସେମାନେ ଯେକୌଣସି ସୀମା ସରହଦ ଡେଇଁବେ, ଯୁଆଡ଼େ ଇଚ୍ଛା ସିଆଡ଼େ ବୁଲ‌ିବେ। ଆନ୍ଧ୍ର ସୀମାନ୍ତରେ ପଶି ଓଡ଼ିଶା ହାତୀ କାହିଁକି ଫସଲ କ୍ଷତି କରୁଛନ୍ତି? ପ୍ରଶ୍ନର ଉତ୍ତରରେ ଏମିତି ଜାତୀୟତାବାଦ ଉତ୍ତର ରଖିଥିଲା ଓଡ଼ିଶା। ରାଜ୍ୟ-ରାଜ୍ୟ ବିବାଦ ନିର୍ବିଶେଷରେ ହାତୀ ସୁରକ୍ଷା ଯେ ଆମ ସମସ୍ତଙ୍କର ଉତ୍ତର ଦାୟିତ୍ବ ସେ ମହାନୁଭବ ବାର୍ତ୍ତା ଦିଆଯାଇଥିଲା ଗତ ୨୪ତାରିଖ ଆନ୍ଧ୍ର, ଓଡ଼ିଶା ରାଜ୍ୟ ସମନ୍ବୟ ବୈଠକରେ। କିନ୍ତୁ, ରାଜ୍ୟ ସୀମାନ୍ତରେ ଯାହାର ସୁରକ୍ଷା ନେଇ ଓଡ଼ିଶା ବନ ବିଭାଗର ଏଡ଼େ ବାହାସ୍ଫୋଟ, ଜିଲ୍ଲା ଓ ଜିଲ୍ଲା ସୀମାନ୍ତରେ ତାହା ବୋଝ ପାଲଟିଛି।

ମୃତ୍ୟୁ ସହ ଯୁଝି ହେଉଥିବା ଏକ ଦନ୍ତା ହାତୀ କାଳେ ମରିଗଲେ ଦୋଷ ମୁଣ୍ଡାଇବାକୁ ପଡ଼ିବ ସେହି ଆଶଙ୍କାରେ ଅସୁସ୍ଥ ହାତୀକୁ କେନ୍ଦୁଝର ଜିଲ୍ଲା ସୀମାନ୍ତରୁ ଢେଙ୍କାନାଳ ଜିଲ୍ଲାକୁ ସୀମା ପାର୍‌ ପାଇଁ ରାତାରାତି ହୋଇଥିବା ପ୍ରାଣମୂର୍ଚ୍ଛା ଉଦ୍ୟମ ଏ ପ୍ରକାର ଅଭିଯୋଗକୁ ପ୍ରମାଣିତ କରୁଛି।

ପ୍ରାପ୍ତ ସୂଚନା ମୁତାବକ, ଏ ଅସୁସ୍ଥ ଦନ୍ତା ହେଉଛି କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ରେଞ୍ଜ୍‌ ଇଲାକାର। ଟାଙ୍ଗରୀ ଗାଁ ଟାଙ୍ଗର ଜଙ୍ଗଲରେ ବଡ଼ କ୍ଷତାକ୍ତ ଅବସ୍ଥାରେ ଥିଲା। ଡାହାଣ ଗୋଡ଼ରେ କ୍ଷତାକ୍ତ ହୋଇଥିବା ବେଳେ ବଡ଼ ମୁସ୍କିଲ୍‌ରେ ଦୁଇ ପାହୁଣ୍ଡ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରାୟ ଦୁଇ ସପ୍ତାହ ତଳେ ସ୍ଥାନୀୟ ଲୋକେ ହାତୀକୁ ଏପରି ବଡ଼ ବିପଦପୂର୍ଣ୍ଣ ଅବସ୍ଥାରେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଲୋକ ଦେଖାଣିଆ ବଡ଼ ତତ୍ପରତା ଦେଖାଇଥିଲା। କିନ୍ତୁ ଚିକିତ୍ସା କଲା ନାହିଁ। ବରଂ‌ ଦନ୍ତା ମଲେ କାଳେ ମୁଣ୍ଡକୁ ଦୋଷ ଆସିବ ସେଥିପାଇଁ ଦାୟିତ୍ବ ଖସାଇବା ନୀତିକୁ ଆପଣେଇଛି କେନ୍ଦୁଝର ହାତୀ ସ୍କ୍ବାଡ଼୍‌। ଯେହେତୁ ଦନ୍ତାଟି କେନ୍ଦୁଝର-ଢେଙ୍କାନାଳ ସୀମାନ୍ତ ଇଲାକା ଜଙ୍ଗଲରେ ଥିଲା, ଢେଙ୍କାନାଳ ଜଙ୍ଗଲକୁ ପାର୍‌ କରି ଦେଲେ ବିପଦ ଟଳିବ ସେଥିପାଇଁ ରାତାରାତି କସରତ କରାଯାଇଛି। ଦିନରେ ହାତୀ ଉପରେ ନଜର ରଖି ଖାଦ୍ୟ ଦିଆଯାଉଥିବା ବେଳେ ଠିକ୍ ରାତି ବେଳାରେ ନିଆଁହୁଳା, ବାଣ ଫୁଟାଇ ଘଉଡ଼ା ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଦୁଇ ଦିନ ତଳେ ଢେଙ୍କାନାଳ ସୀମାନ୍ତଠାରୁ ମାତ୍ର ତିନି କିଲୋମିଟର ଦୂରତାରେ ଅସୁସ୍ଥ ଦନ୍ତା ଥିଲା। ଢେଙ୍କାନାଳ ଜିଲ୍ଲାକୁ ଅସୁସ୍ଥ ଦନ୍ତା ଘଉଡ଼ା ଷଡ଼ଯନ୍ତ୍ର ଶେଷରେ ସଫଳ ହୋଇଛି। କେନ୍ଦୁଝର ଜିଲ୍ଲାରୁ ଅସୁସ୍ଥ ଦନ୍ତାକୁ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ୍‌କୁ ଘଉଡ଼ା ସରିଲାଣି। ବିପଦ ଏବେ ଢେଙ୍କାନାଳ ମୁହାଁ। ହାତୀଟିଏ ଯତ୍ନ ଟିକେ ପାଇଁ ଜିଲ୍ଲା ଓ ଜିଲ୍ଲା ଭିତରେ ଦହଗଞ୍ଜ ହେଉଥିବା ବେଳେ ହାତୀ ସୁରକ୍ଷା ନେଇ ଆନ୍ଧ୍ର ସହ କଳି କ’ଣ ପାଇଁ ବୋଲି ହାତୀପ୍ରେମୀ ମହଲରେ ଆଲୋଚନା ହୋଇଛି।

By amfnews

Related Post