Sat. Mar 7th, 2026

ସଡ଼କ ଓ ରେଳ ଧାରଣାରେ ଚାଲି ଚାଲି ଘରକୁ ନ ଫେରି ପ୍ରବାସୀ ଶ୍ରମିକମାନେ ‘ଶ୍ରମିକ’ ସ୍ପେସାଲ୍ ଟ୍ରେନ୍‌ରେ ଘରକୁ ଫେରନ୍ତୁ: କେନ୍ଦ୍ର ସରକାର

231 Views

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମଜୀବୀମାନେ ଯେମିତି ସଡ଼କ କିଂବା ରେଳଧାରଣା ଉପରେ ଚାଲି ଚାଲି ଘରକୁ ନ ଯାଇ ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ରେ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ଗୃହମନ୍ତ୍ରାଳୟ କହିଛି। ଏହାଛଡ଼ା, ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ଅଧିକ ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଚଳାଇବାରେ ସହଯୋଗ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କହିଛି।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଦେଇଥିବା ଏକ ଚିଠିରେ ଗୃହ ସଚିବ ଅଜୟ ଭଲ୍ଲା ଲେଖିଛନ୍ତି, କୌଣସି ବାଧା ନ ଦେଇ ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ଗୁଡ଼ିକୁ ପହଞ୍ଚିବାକୁ ଅନୁମତି ଦେଇ ଅଟକି ଯାଇଥିବା ପ୍ରବାସୀ ଶ୍ରମଜୀବୀମାନଙ୍କ ଘରବାହୁଡ଼ା ତ୍ବରାନ୍ବିତ କରନ୍ତୁ।

ଚିଠିରେ ସେ ଆହୁରି ଲେଖିଛନ୍ତି ଯେ ପ୍ରବାସୀ ଶ୍ରମଜୀବୀମାନେ ଯେମିତି ସଡ଼କ କିଂବା ରେଳ ଧାରଣା ଉପରେ ଚାଲି ଚାଲି ନ ଯାଇ ଯେମତି ସ୍ପେସାଲ୍ ଟ୍ରେନ୍‌ରେ ଯାଆନ୍ତି, ସେଥିପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ନିଶ୍ଚିତ ହୁଅନ୍ତୁ।

ଯଦି ସେମାନେ ସଡ଼କ କିଂବା ରେଳ ଧାରଣାରେ ଚାଲି ଚାଲି ଯାଉଥିବାର ଦେଖାଯାଉଥାଏ ତାଙ୍କୁ ଉପଯୁକ୍ତ କାଉନ୍‌ସେଲିଙ୍ଗ୍ ଦିଆଯାଇ ନିକଟବର୍ତ୍ତୀ ଆଶ୍ରୟସ୍ଥଳକୁ ନିଆଯାଇ ଖାଦ୍ୟପାନୀୟ ଆଦି ଦିଆଯାଉ। ଘରବାହୁଡ଼ା ନିମନ୍ତେ ସେମାନଙ୍କୁ ଶ୍ରମିକ ସ୍ପେସାଲ୍ ଟ୍ରେନ୍ କିଂବା ବସ୍‌ରେ ପଠା ନ ଯିବା ପର୍ଯ୍ୟନ୍ତ ରାଜ୍ୟ ସରକାରମାନେ ଏହି ବ୍ୟବସ୍ଥା କରନ୍ତୁ ବୋଲି ଭଲ୍ଲା ସେ ଚିଠିରେ ଲେଖିଛନ୍ତି।

ମେ ପହିଲାରୁ ଭାରତୀୟ ରେଳବାଇ ୪୨୮ଟି ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଚଳାଇ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୪. ୫ ଲକ୍ଷ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରାଇ ନେଇଛି।

By amfnews

Related Post