Mon. Jun 9th, 2025

ସ୍ୱାମୀଙ୍କ ପେଟରେ ୧୧ ଥର ଛୁରି ମାରି ତଣ୍ଟି ଚିପି ହତ୍ୟା କଲେ ମହିଳା

By amfnews Aug 22, 2019 #Featured
526 Views

ମୁମ୍ବାଇ  : ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପେଟରେ ୧୧ ଥର ଛୁରି ମାରି ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ନାଲ୍ଲାସୋପାରାରେ ରହୁଥିବା ୩୬ ବର୍ଷୀୟ ସୁନୀଲ କଦମ ଓ ତାଙ୍କ ସ୍ତ୍ରୀ ପ୍ରଣାଳୀ (୩୩)ଙ୍କ ଭିତରେ ଗତକାଲି ଭୋର ୫ଟା ସମୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା।ରାଗ ଶାନ୍ତ ହେବା ପରେ ସୁନୀଲ ବେଡରୁମରେ ଶୋଇବାକୁ ଚାଲିଯାଇଥିଲେ।
ପ୍ରଣାଳୀ କିନ୍ତୁ ରାଗରେ ଜଳୁଥିଲେ। ସେ ତା’ପରେ ରୋଷେଇ ଘରୁ ଏକ ଧାରୁଆ ଛୁରି ଧରି ସୁନୀଲଙ୍କ ପାଖକୁ ଫେରିଥିଲେ। ସେ ସୁନୀଲଙ୍କ ପେଟରେ ୧୧ ଥର ଛୁରି ମାରିବା ପରେ ତଣ୍ଟି ଚିପି ଦେଇଥିଲେ। ସେହି ବେଡରୁମରେ ହିଁ ସୁନୀଲଙ୍କର ପ୍ରାଣହାନି ଘଟିଥିଲା। ଏହାପରେ ପ୍ରଣାଳୀ ଶାଶୁ-ଶଶୁର ଓ ଦୁଇ ଝିଅଙ୍କ ପାଖକୁ ଯାଇ ଶୋଇଥିଲେ।

ସମସ୍ତେ ଉଠିବାପରେ ସୁନୀଲଙ୍କ ପିତାଙ୍କୁ ପ୍ରଣାଳୀ କହିଥିଲେ ଯେ ସୁନୀଲ ଆତ୍ମହତ୍ୟା କରିଛନ୍ତି। ତା’ପରେ ସୁନୀଲଙ୍କ ପିତା ଆନନ୍ଦ କଦମ୍‌ (୬୩) ତୁଲିଂଜ ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ପ୍ରଣାଳୀ ସ୍ୱାମୀ ସୁନୀଲଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ । ସୁନୀଲ ଓ ପ୍ରଣାଳୀଙ୍କର ସାତ ବର୍ଷର ଗୋଟିଏ ଓ ଆଠମାସର ଏକ ଝିଅ ଅଛନ୍ତି। ପୁଲିସ ପ୍ରଣାଳୀଙ୍କୁ ଗିରଫ କରିଥିବା ଜଣାଯାଇଛି।ପ୍ରଣାଳୀ କହିଛନ୍ତି ଯେ ସୁନୀଲଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ହେତୁ ସେ ଏଭଳି କାଣ୍ଡ ଘଟାଇଛନ୍ତି।

By amfnews

Related Post