Sun. Mar 8th, 2026

ସ୍କୁଲ ଉପରେ ‘କରୋନା’ ପ୍ରଭାବ, ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ

159 Views

ଭୁବନେଶ୍ୱର : ପିଲାଙ୍କ ପାଠ ପଢ଼ାରେ ‘କରୋନା’ ଲକ୍‌ଡାଉନ୍‌ର ବଡ଼ ପ୍ରଭାବ ପଡ଼ିଛି। ବନ୍ଦ ରହିଛି ରାଜ୍ୟର ସମସ୍ତ ସ୍କୁଲ। ଓଡ଼ିଶାରୁ ‘କୋଭିଡ୍-୧୯’ କଳାବାଦଲ କେବେ ହଟିବ? ସ୍ଥିତି କେବେ ସ୍ୱାଭାବିକ ହେବ? ତାକୁ ନେଇ ଏବେ ସୁଦ୍ଧା ଅନିଶ୍ଚିତତା ଲାଗି ରହିଛି। ଏଭଳି ସ୍ଥିତିରେ ରାଜ୍ୟର ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସିଲାବସ ପଛେଇ ଥିବାରୁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ କରିଛନ୍ତି ରାଜଧାନୀର କେତେକ ଘରୋଇ ସ୍କୁଲ। ଏମିତିକି ଘରେ ରହି କମ୍ପ୍ୟୁଟର ଓ ମୋବାଇଲ ସହାୟତାରେ ସ୍କୁଲରୁ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ। ଇଣ୍ଟରନେଟ୍ ଓ ଅନ୍‌ଲାଇନ୍‌ର ଏହି ପାଠ୍ୟଦାନ ପ୍ରକ୍ରିୟା ଶ୍ରେଣୀଗୃହ ଭଳି ଅବିକଳ ନହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହାକୁ ବିକଳ୍ପ ଭାବେ ଆପଣାଇଛନ୍ତି କେତେକ ଘରୋଇ ସ୍କୁଲ। ତେବେ କେବଳ ରାଜଧାନୀର କିଛି ହାତଗଣତି ସ୍କୁଲରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ଆଦୌ ସମ୍ଭବ ନଥିବାରୁ ସେମାନେ କେମିତି ପଢ଼ିବେ? ତାକୁ ନେଇ ଚିନ୍ତାରେ ପିଲା ଓ ଅଭିଭାବକ।

 ‘କରୋନା’ ଯୋଗୁ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ଏହି ସଙ୍କଟଜନକ ସ୍ଥିତିରେ ସବୁଠୁ ଅଧିକ ପ୍ରଭାବିତ ହେବା ଆଶଙ୍କାରେ ସରକାରୀ ଓ ଭିତ୍ତିଭୂମି ନଥିବା ଘରୋଇ ସ୍କୁଲ। ରାଜ୍ୟର ପ୍ରାୟ ୫୩ ହଜାରରୁ ଅଧିକ ସ୍କୁଲରେ ପାଠପଢ଼ା କେବେ ଆରମ୍ଭ ହେବ ଏବଂ ଯଦି ନିକଟ ଭବିଷ୍ୟତରେ ନହୁଏ ତେବେ ସରକାର କି ବିକଳ୍ପ ଆପଣାଇବେ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏପଟେ ପ୍ରାୟ ୬ ବର୍ଷ ତଳେ ରାଜ୍ୟ ସରକାର ପ୍ରତି ବିଦ୍ୟାଳୟରେ ଆଧୁନିକ ଜ୍ଞାନକୌଶଳରେ ପାଠ୍ୟଦାନ ଲାଗି କମ୍ପ୍ୟୁଟର ଲାବ୍‌ ଓ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ କରିଥିଲେ। ଏବେ ସେହି ବ୍ୟବସ୍ଥା ଅଚଳ ହୋଇ ପଡ଼ିଛି। ଏଣେ ଶିକ୍ଷାବିତଙ୍କ ମତରେ ରାଜ୍ୟର ବିଭିନ୍ନ ସ୍କୁଲରେ ଚୌକି ଟେବୁଲ, ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଥିବା ବେଳେ, ସେଠାରେ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆଶା ବୃଥା।

ତେବେ ଏନେଇ କିନ୍ତୁ ଗଣଶିକ୍ଷାମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସେ ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

By amfnews

Related Post