Sat. Mar 7th, 2026

ସ୍କୁଲରେ ଆରାମ୍‌ରେ ଶୋଇଛନ୍ତି ଦିଦି, ଭିଡିଓ ଭାଇରାଲ

159 Views

ବ୍ରହ୍ମପୁର : ମଣିଷ ତିଆରି କାରଖାନା ହେଉଛି ସ୍କୁଲ। ଏଠାରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ତିଆରି କରି ଶିକ୍ଷକ-ଶିକ୍ଷୟିତ୍ରୀମାନେ ପିଲାଙ୍କ ଭବିଷ୍ୟତ ଗଢ଼ିଥା’ନ୍ତି। କିନ୍ତୁ ପିଲାଙ୍କୁ ଶିକ୍ଷାଦାନ ବଦଳରେ ଯଦି ଶିକ୍ଷୟିତ୍ରୀ ସ୍କୁଲରେ ଶୋଉଥିବାର ଦେଖାଯାଏ, ତେବେ ସେଠାରେ ଶିକ୍ଷାର ମାନ କିପରି ଥିବ ଓ ପିଲାଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ, ତାହା ସହଜେ ଅନୁମେୟ। ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସ୍କୁଲ୍‌ ଭିତରେ ଶିକ୍ଷୟିତ୍ରୀ ଆରାମରେ ଶୋଇଥିବାର ଦେଖାଯାଇଛି।

ଗଂଜାମ ଜିଲ୍ଲା ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲ ଭିତରେ ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀ ଖାଇବାକୁ ବସିଥିବାବେଳେ ଶିକ୍ଷୟିତ୍ରୀ ଜଣକ ସ୍କୁଲ ଭିତରେ ଆରାମରେ ତଳେ ଏକ ଗାମୁଛା ପକାଇ ଶୋଇ ନିଜ ଥକ୍କା ମେଣ୍ଟାଉଛନ୍ତି। ଉକ୍ତ ସମୟରେ ସ୍କୁଲ ଭିତରକୁ ଯାଇଥିବା ଜଣେ ଅଭିଭାବକ ଏହି ଭିଡିଓ ରେକର୍ଡ କରିଥିଲେ । ଶିକ୍ଷୟିତ୍ରୀଙ୍କ ଅବହେଳା ନେଇ ପୂର୍ବରୁ ମଧ୍ୟ ଗ୍ରାମବାସୀ ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଆଉଟଡୋରରେ ମଧ୍ୟ ଠିକ୍‌ ଏଭଳି ଚିତ୍ର ସାମନାକୁ ଆସିଛି। ମେଡିକାଲରେ ଜଣେ କର୍ମଚାରୀ ନିଦରେ ଥିବା ଭିଡିଓ ଭାଇରାଲ ହୋଇଛି ।

ମହିଳା ଜଣଙ୍କ ଚେୟାର ଉପରେ ଗୋଡ଼ ଲଦି ନିଦରେ ଢୁଳାଉଥିବା ଦେଖିବାକୁ ମିଳିଛି । ଡ୍ୟୁଟି ସମୟରେ ନିଘୋଡ଼ ନିଦ୍ରାରେ ଶୋଇବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

By amfnews

Related Post