Thu. Dec 26th, 2024

ସେଲ୍ ପେନସନ ସ୍କିମରେ ଶ୍ରମିକ କର୍ମଚାରୀଙ୍କ ସ୍ୱାର୍ଥହାନୀ ତଥା ଆର୍ôଥକ କ୍ଷତି ଓ ମୂଳ ସର୍ତ୍ତର ପରିବର୍ତ୍ତନ ଯୋଜନାକୁ ଆର୍ଏସ୍ଏସ୍ର ଦୃଢ ବିରୋଧ

rklsanchar@gmail.com' By J.N. Pradhan Jul 17, 2018 #Featured
257 Views

ରାଉରକେଲା, ୧୭/୭ : ନବମ ବେତ ଚୁକ୍ତିନାମା ସେଲ୍ ଶ୍ରମିକ କର୍ମଚାରୀଙ୍କ ପାଇଁ ଏନ୍ଜେସିଏସ୍ ମାଧ୍ୟମରେ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମାରେ ସେଲ୍ କର୍ମଚାରୀଙ୍କ ପାଇଁ ଏକ ନୂତନ ପେନସନ ଯୋଜନା ସେଲ୍ ପେନ୍ସନ ସ୍କିମ ଲାଗୁ ପାଇଁ ସର୍ବସମ୍ମତି ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି ଅନୁଯାୟୀ ତା-୧.୧.୧୨ରୁ ଏହି ସ୍କିମ୍ ଲାଗିବ ଏବଂ ମ୍ୟାନେଜମେଣ୍ଟ କଣ୍ଟ୍ରିବ୍ୟୁସନ ଶତକଡା ୬% (ବେସିକ + ଡିଏ) ରହିବ ଓ କର୍ମଚାରୀମାନେ ବର୍ତ୍ତମାନର ୨%କୁ ଛାଡି ସର୍ବାଧିକ ୬% ରାଶି ଦେଇପାରିବ ।

ଏହାକୁ ଏକ ଅଧିକୃତ ଆନୁଇଟି ପ୍ରୋଭାଇଡରକୁ ଦିଆଯିବ ଏବଂ ରିଟାୟାର୍ଡ ସମୟରେ କର୍ମଚାରୀଙ୍କ ସମୁଦାୟ ଜମାରାଶି ଉପରେ ଉକ୍ତ କମ୍ପାନୀ ପେନ୍ସନ ପ୍ରଦାନ କରିବ । କର୍ମଚାରୀମାନଙ୍କ ମୃତ୍ୟୁ ପରେ ତାଙ୍କ ସହଧର୍ମିଣୀ ଏହି ପେନ୍ସନ ପାଇବେ ଓ ତାଙ୍କ ମୃତ୍ୟୁ ପରେ ମୂଳଧନ ଫେରସ୍ତ (ଆର୍ଓସି)ର ବ୍ୟବସ୍ଥା ମଧ୍ୟ ରହିଥିଲା । କିନ୍ତୁ ଯେତେବେଳେ ଏହା କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ବିଏମ୍ଏସ୍-ଆର୍ଆଇକେକେଏସ୍ ୟୁନିୟନ ଏହାର ବିରୋଧ କରି ମ୍ୟାନେଜମେଣ୍ଟର କଣ୍ଟ୍ରିବ୍ୟୁସନ ୬%ରୁ ୯%କୁ ବୃଦ୍ଧି କରିବା ପାଇଁ ଦାବି କରିଥିଲା ଏବଂ ଏହା ୬% ହୋଇଥିବାରୁ ଏନ୍ଜେସିଏସ୍ରେ ଥିବା ୪ଟି ୟୁନିୟନକୁ ସମାଲୋଚନା କରିଥିଲା ।

ଶ୍ରମିକ କର୍ମଚାରୀମାନେ ଅଧିକ ରାଶି ପାଇବାର ସମ୍ଭାବନାକୁ ଏଡାଇ ନଯାଇ ଅନ୍ୟ ୪ଟି ୟୁନିୟନ ମଧ୍ୟ ବିଏମ୍ଏସ୍କୁ ୬ରୁ ୯% କରିବା ପାଇଁ ସହଯୋଗ କରିଥିଲେ ଓ ମନ୍ତ୍ରୀଙ୍କ ସହଯୋଗରେ ଏହା କରିବା ପାଇଁ ସହାୟତା ପ୍ରଦାନ କରିଥିଲେ । ସେଲ୍ର ବୋର୍ଡ ଅଫ୍ ଡାଇରେକ୍ଟର ମଧ୍ୟ ଏହି ୬%କୁ ସେତେବେଳେ ସ୍ୱୀକୃତି ଦେଇଥିଲେ । କିନ୍ତୁ ଯେତେବେଳେ ଏହା ଇସ୍ପାତ ମନ୍ତ୍ରଣାଳୟର ସ୍ୱୀକୃତି ପାଇଁ ଯାଇଥିଲା ସେତେବେଳେ ମନ୍ତ୍ରୀ ମ୍ୟାନେଜମେଣ୍ଟର କଣ୍ଟ୍ରିବ୍ୟୁସନ ୬%ରୁ ୨%କୁ କମାଇ ଦେଇଥିଲେ ।

ଏହାବ୍ୟତୀତ କ୍ଷତି ସମୟରେ ମଧ୍ୟ ୨% କଣ୍ଟ୍ରିବ୍ୟୁସନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।  ସେତେବେଳେ ମନ୍ତ୍ରୀଙ୍କର ଏହି ପ୍ରସ୍ତାବକୁ ବିଏମ୍ଏସ୍କୁ ଛାଡ଼ି ସମସ୍ତ ୟୁନିୟନ ବିରୋଧ କରିଥିଲେ ଓ ପ୍ରତିବାଦ କରିଥିଲେ କି କ୍ଷତି ପାଇଁ କୌଣସି ଶ୍ରମିକ କର୍ମଚାରୀ ଦାୟୀ ନୁହଁନ୍ତି । ଏଣୁ ଏନ୍ଜେସିଏସ୍ ଚୁକ୍ତିନାମାରେ ପେନସନ ପାଇଁ ଥିବା ଶତକଡ଼ା ୬ କଣ୍ଟ୍ରିବ୍ୟୁସନକୁ ଲାଗୁ କରିବା ପାଇଁ ଆଇଏନ୍ଟିୟୁସି ଓ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା । ଗତ ମାସରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ମଧ୍ୟ ଏନ୍ଜେସିଏସ୍ ଚୁକ୍ତିନାମା ଅନୁଯାୟୀ ଏହି ନୂତନ ସେଲ୍ ପେନସନ ସ୍କିମ୍କୁ ଲାଗୁ କରିବା ପାଇଁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏଣୁ ଆସନ୍ତାକାଲି ନୂଆଦିଲ୍ଲୀରେ  କନଷ୍ଟିଚ୍ୟୁସନ କ୍ଲବ ପରିସରରେ ପେନସନ ସ୍କିମ ଲାଗୁ କରିବା ପାଇଁ ଥିବା ବୈଠକରେ ଏନ୍ଜେସିଏସ୍ ଚୁକ୍ତିନାମାରେ ଥିବା ସମସ୍ତ ସର୍ତ୍ତାବଳୀକୁ ଲାଗୁ କରିବା  ଓ ମ୍ୟାନେଜମେଣ୍ଟ କଣ୍ଟ୍ରିବ୍ୟୁସନ ୬ %କୁ ବଜାୟ ରଖିବା ପାଇଁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଦୃଢ଼ ଦାବି କରିଛନ୍ତି । ଶ୍ରମିକ କର୍ମଚାରୀମାନଙ୍କ ସ୍ୱାର୍ଥ ହାନୀ ଏବଂ ଆର୍ଥିକ କ୍ଷତି କରିବା ପାଇଁ  ହେଉଥିବା ଯୋଜନାକୁ ରାଉରକେଲା ଶ୍ରମିକ ସଂଘ ଦୃଢ଼ ବିରୋଧ କରିବା ବୋଲି ଶ୍ରୀ ବେହେରା କହିଛନ୍ତି ।

Related Post