Sat. Mar 7th, 2026

ସେଲ୍ ପେନସନ ଓ ସଫଳ ମଜୁରୀ ଚୁକ୍ତିନାମା ପାଇଁ ଯୁକ୍ତ ଆନ୍ଦୋଳନ ଏକାନ୍ତ ଆବଶ୍ୟକ – ଆର୍ଡବ୍ଲ୍ୟୁୟୁ

281 Views

ରାଉରକେଲା: ଜୁଲାଇ ୧୭ ତାରିଖ ଦିନ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆହୂତ ବୈଠକରେ ମଜୁରୀ ଚୁକ୍ତିନାମା ଓ ପେନସନ ସମ୍ପର୍କରେ ଇସ୍ପାତ ମନ୍ତ୍ରୀ ଯେଉଁ ନିରୁତ୍ସାହଜନକ ମନ୍ତବ୍ୟ ଦେଇଛନ୍ତି ତାହା ମୋଦି ସରକାରଙ୍କ ଶ୍ରମିକ ବିରୋଧି ନୀତିର କିଞ୍ôଚତ ମାତ୍ର ପ୍ରତିଫଳ ବୋଲି ଆର୍ଡବ୍ଲ୍ୟୁୟୁର କାର୍ଯ୍ୟକାରିଣୀ ବୈଠକରେ ଐକ୍ୟମତ ପ୍ରକାଶ ପାଇଛି ।

ଦ୍ୱିପାକ୍ଷିକ ଚୁକ୍ତିନାମା ଦ୍ୱାରା ହୋଇଥିବା ୬ ପ୍ରତିଶତ ପେନସନ ରାଶିକୁ ଇସ୍ପାତ ମନ୍ତ୍ରୀ ଏକତରଫା ଭାବରେ ୨ ପ୍ରତିଶତକୁ ହ୍ରାସ କରି ଏବଂ ସେଲ୍ କର୍ତ୍ତୃପକ୍ଷଙ୍କ ନୂତନ ମଜୁରୀ ଚୁକ୍ତିନାମା ପାଇଁ ବୈଠକ ନ ଡାକିବା କର୍ମଚାରୀ ମହଲରେ ଯେଉଁ ନୈରାଶ୍ୟର ବାତାବରଣ ସୃଷ୍ଟି କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବୈଠକରେ ଧିକାର କରାଯାଇଛି । ମଜୁରୀ ଚୁକ୍ତିନାମାର ଅବଧି ଶେଷ ହୋଇ ପ୍ରାୟ ୧୯ ମାସ ବିତିବାକୁ ବସିଥିଲେ ମଧ୍ୟ ଉଭୟ ସେଲ୍ କର୍ତ୍ତୃପକ୍ଷ ଏବଂ ଚାର୍ଟର ଅଫ୍ ଡିମାଣ୍ଡ ଦେଇ ସମସ୍ତ ୫ଟି ଯାକ ଏନ୍ଜେସିଏସ୍ ଅଂଶୀଦାର ୟୁନିୟନ ଚୁପ୍ ହୋଇ ବସି ରହିବା ଘଟଣା କର୍ମଚାରୀମାନଙ୍କ ପାଇଁ ରହସ୍ୟମୟ ହୋଇ ରହିଛି ।

ତେଣୁ ଏହି ପରିସ୍ଥିତିରେ ଏନ୍ଜେସିଏସ୍ ବୈଠକ ଅବିଳମ୍ବେ ଡକାଇ ମଜୁରୀ ଚୁକ୍ତିନାମା ସମ୍ପୂର୍ଣ୍ଣ କରିବା, ସେଲ୍ ପେନସନକୁ ତୁରନ୍ତ ଲାଗୁ କରିବା, ଇପିଏସ୍-୯୫ର ବର୍ଦ୍ଧିତ ପେନସନ ରାଶିକୁ ସେଲ୍ ଶ୍ରମିକମାନଙ୍କ ପାଇଁ ଲାଗୁ କରିବା ପୂର୍ବପରି ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ଏସ୍-୬ ଓ ଆଇଟିଆଇ ମାନଙ୍କୁ ଏସ୍-୩ରେ ନିଯୁକ୍ତି  ଦେବା, ଡିପ୍ଲୋମା ଡିଗ୍ରୀଧାରୀଙ୍କ ପଦବୀ ନାମକୁ ପରିବର୍ତ୍ତନ କରିବା, ମାସିକ ରିୱାର୍ଡ ବୋନସ ରାଶିକୁ ବୃଦ୍ଧି କରିବା ଇତ୍ୟାଦି ଦାବିରେ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ଗଢି ତୋଳିବାକୁ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ୟୁନିୟନର ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହସମ୍ପାଦକ ଅଜିତ ନାୟକଙ୍କ ସମେତ ଜି.ଏନ୍. ତ୍ରିପାଠୀ, ଅଜୟ ମହାନ୍ତି, ଶ୍ରୀନିବାସ ସେଠୀ, ସୁବାଷ ଦଣ୍ଡପାଟ, ଶଙ୍କର ପାତ୍ର, ମାର୍କଣ୍ଡ ଦାସ, ଧୋବେଇ ବେହେରା, ଶେଖ ଇସଲାମ, ଗଣେଶ ବେହେରା, ବିରେନ ନାୟକ, ଆଲୋକ ବେହେରା, ସୂର୍ଯ୍ୟନାରାୟଣ ପଣ୍ଡା, କିଶୋର ବାରିକ, ବାଇଧର ପ୍ରଧାନ ପ୍ରମୁଖ ବିଭାଗୀୟ ସମସ୍ୟାମାନ ଉତ୍ଥାପନ କରିବା ସହ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ।

Related Post