ନୂଆଦିଲ୍ଲୀ: ଦେଶରେ କରୋନା ଜୀବାଣୁ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି କମ୍ ଗୁରୁତ୍ୱ ରଖୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା କଏଦୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୭ବର୍ଷରୁ କମ୍ ଜେଲରେ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ପାରୋଲ୍ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଉଭୟ ଦଣ୍ଡବିଧାନ ଏବଂ ବିଚାର ଅଧୀନରେ ଥିବା କଏଦୀ ଅନ୍ତର୍ଭୁକ୍ତ |
କଏଦୀମାନଙ୍କୁ ୬ସପ୍ତାହ ପାରୋଲ ଦେବାକୁ କୋର୍ଟ କହିବା ସହ ଜେଲରୁ ଭିଡ଼ ହ୍ରାସ କରିବାକୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଏକ ଉଚ୍ଚ ଶକ୍ତି କମିଟି ଗଠନ କରିବା ଉଚିତ୍। ଏହି କମିଟିରେ ଆଇନ ସେକ୍ରେଟାରୀ, ସେବା ପ୍ରାଧିକରଣର ଅଧ୍ୟକ୍ଷ ଓ ଜେଲର ଡିଜିଙ୍କୁ ସାମିଲ କରିବା ଉଚିତ। କେଉଁ ଦୋଷୀ ସାବ୍ୟସ୍ତ କଏଦୀ ଏବଂ ଟ୍ରାଏଲ କଏଦୀମାନଙ୍କୁ ୭ବର୍ଷ ଜେଲ ମାମଲାରେ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ ଏ ନେଇ କମିଟି ନିଷ୍ପତ୍ତି ନେବ।
ସୂଚନା ମୁତାବକ, ଗତ ମାର୍ଚ୍ଚ ୧୭ରେ ଏହି ମାମଲାର ଶୁଣାଣି ହୋଇଥିଲା। ଏହା ପରେ ପ୍ରଧାନ ବିଚାରପତି ଏସ ବବଡେ ଜେଲ ଅଧିକାରୀମାନଙ୍କୁ ପଚାରିଥିଲେ ଯେ, କଏଦୀମାନେ ଅଧିକ ଥିବାବେଳେ ସେମାନେ କରୋନା ସଂକ୍ରମଣକୁ କିପରି ରୋକିବେ? ଏହା ପରେ ବବଡେ କହିଥିଲେ, ଜୀବାଣୁ ବିସ୍ତାର ନହେବା ପାଇଁ ସରକାର ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି, କିନ୍ତୁ ଜେଲଗୁଡିକରେ କ୍ଷମତା ଅପେକ୍ଷା ଅଧିକ କଏଦୀ ଅଛନ୍ତି, ତେଣୁ ଦୂରତା ରଖିବା କଷ୍ଟକର ହୋଇପଡିଛି। ଏହି ମାମଲାରେ ନିଜେ ସୂଚନା ଗ୍ରହଣ କରି ଆଜି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି |