Thu. Dec 26th, 2024

ସିିଙ୍ଘୁ ସୀସାରେ ଚାଷୀଙ୍କ ଆମରଣ ଅନଶନ ଆଜି, ଅରବିନ୍ଦ କେଜରୀୱାଲ ମଧ୍ୟ କରିବେ ଉପବାସ

By amfnews Dec 14, 2020 #Featured
98 Views

ନୂଆଦିଲ୍ଲୀ, ଡିସେମ୍ବର ୧୪ : ତିନିଟି କୃଷି ଆଇନକୁ ବିରୋଧ କରି ବିଗତ ୧୯ ଦିନ ହେବ ବନ୍ଦ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଦିନିକୁ ଦିନ ଏହା ଆହୁରି ତୀବ୍ର ରୂପ ନେଉଛି । ଆନ୍ଦୋଳନରତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାର ଆନ୍ଦୋଳନ ଶେଷ କରିବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନେ କିନ୍ତୁ ପୂର୍ବ ଭଳି ଅମଙ୍ଗ ରହିଛନ୍ତି । ଏହାରି ମଧ୍ୟରେ ଆଜି ଚାଷୀମାନେ ସିଙ୍ଘୁ ସୀମାରେ ଆମରଣ ଅନଶନ କରିବେ । 

ଚାଷୀ ଆନ୍ଦୋଳନକୁ ଆମ ଆଦମୀ ପାର୍ଟି ବିପୁଳ ସମର୍ଥନ ଜଣାଇଛି । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଉପବାସ ରହିବାକୁ ରବିବାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଚାଷୀମାନଙ୍କର ଏହି ଦାବି ଲାଗି ଉପବାସ ରଖିବେ । ଏହା ପରେ ଆପ ସରକାରରେ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦଳର ସମସ୍ତ ପଦାଧିକାରୀ, ବିଧାୟକ ଓ ପାର୍ଷଦ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଆଇଟିଓସ୍ଥିତ ପାର୍ଟି କାର୍ଯ୍ୟଳୟରେ ସାମୂହିକ ଭାବେ ଉପବାସ କରିବେ । ଆପ ଦଳ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ସଂପୂର୍ଣ୍ଣ ଭାବେ ଚାଷୀଙ୍କ ସହିତ ଛିଡା ହୋଇଛି ବୋଲି ସେ କହିଛନ୍ତି । 

ସିଙ୍ଘୁ ସୀମାରେ ଚାଷୀମାନେ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ କିଛି ନଖାଇ ଆନ୍ଦୋଳନକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଚାଷୀମାନଙ୍କର ଏଭଳି ଆନ୍ଦୋଳନକୁ ଦୃଷ୍ଟିରେ ରଖି ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ଭାବରେ ପୋଲିସ ମୁତୟନ କରାଯାଇଛି । 

ଗତକାଲି ୧୨ ଦିନର ଆନ୍ଦୋଳନ ପରେ ଥିଲା ଦିଲ୍ଲୀ-ନୋଏଡା ସୀମାକୁ ଖୋଲି ଦିଆଯାଇଥିଲା । ଧାରଣାରତ ଚାଷୀମାନେ ଶନିବାରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ତାଙ୍କର ନିବାସରେ ଭେଟିଥିଲେ । ଏହା ପରେ ସହମତି ହେବା ଯୋଗୁଁ ଚାଷୀମାନେ ସୀମାରେ ଧାରଣା ଶେଷ କରିଦେଇଛନ୍ତି ଏବଂ ଲୋକଙ୍କର ଯାତାୟତ ପାଇଁ ରାସ୍ତା ଅବରୋଧ ହଟାଇ ଦେଇଥିଲେ ।

ଭାରତୀୟ ଚାଷୀ ସଂଗଠନର ପଂଜାବ ଶାଖା ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ବନ୍ଦ କରିଥିଲେ । ଏହି ରାସ୍ତା ବନ୍ଦ ହୋଇଯିବା ଫଳରେ ଉତ୍ତର ଭାରତରୁ ପଶ୍ଚିମ ଭାରତ ପାଇଁ ସଂପର୍କ ଛିନ୍ନ ହୋଇଯାଇଥିଲା । କାରଣ ଏହି ରାସ୍ତା ଦେଇ ଫଳ, ପନିପରିବା, କ୍ଷୀର ଓ ରାଶନ ସାମଗ୍ରୀ ଯୋଗାଇ ଦିଆଯାଇଥାଏ । 

By amfnews

Related Post