Sun. Mar 8th, 2026

ସିମେଣ୍ଟ ଦୋକାନରୁ ୫ଲକ୍ଷ ଚୋରି : ନାବାଳକ ପୁଅ ଫେରାର୍‌, ବାପା-ମା’ ଗିରଫ

298 Views

ବ୍ରହ୍ମପୁର : ଟଙ୍କା ଲୋଭରେ ପଡ଼ି ଶେଷରେ ଚୋରି କଲା। ଚୋରି କରିବା ପରେ ଏକ ଦାମୀ ବାଇକ୍‌ କିଣି ନାବାଳକ ପୁଅ ବାପା-ମା’ଙ୍କୁ କିଛି ଟଙ୍କା ଦେଲା। ଏପରିକି ଘର ପାଇଁ କିଛି ରାସନ ସାମଗ୍ରୀ ମଧ୍ୟ କିଣିଲା। କିନ୍ତୁ ସେହି ନାବାଳକ ଜଣକ ଜାଣି ନଥିଲା ଯେ, ତାର ଏହି କାରନାମା ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇ ସାରିଥିବ। ସମ୍ପୃକ୍ତ ନାବାଳକ ଜଣକ ତାର ଜଣେ ସହଯୋଗୀ ସହିତ ରାଜ୍ୟ ବାହାରକୁ ଫେରାର୍‌ ହୋଇ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲିଲୁଣ୍ଡି ଛକରେ ଶ୍ରୀଧର ପାଢ଼ୀଙ୍କ ଏକ ସିମେଣ୍ଟ ଓ ଲୁହାଛଡ଼ ଦୋକାନ ରହିଛି। ତଳ ମହଲାରେ ଦୋକାନ ଓ ଗୋଦାମ ଥିବା ବେଳେ ଉପର ମହଲରେ ସେ ରହୁଛନ୍ତି। ଗତ ୧୫ତାରିଖରେ ସଂକ୍ରାନ୍ତି ଥିବାରୁ ଦୋକାନ ବଜାର ବନ୍ଦ ରହିଥିଲା। ସେ ଦୋକାନର ସଟର୍‌ ଅଧା ବନ୍ଦ କରି ଘରକୁ ଯାଇଥିଲେ। କିଛି ସମୟ ପରେ ଫେରି ଦେଖିବା ବେଳେ ଦୋକାନର କ୍ୟାସ୍‌ କାଉଣ୍ଟର୍‌ ଡ୍ରୟର୍ ଭଙ୍ଗା ଯାଇଥିବା ବେଳେ ସେଥିରୁ ପ୍ରାୟ ୫ଲକ୍ଷ ୨୫ହଜାର ଟଙ୍କା ଗାଏବ ରହିଥିଲା। ସେ ତୁରନ୍ତ ପୁଲିସକୁ ଖବର ଦେଇ ସିସି କ୍ୟାମେରା ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଜଣେ ପିଲା ଦୋକାନରେ ପଶି କ୍ୟାସ୍‌ କାଉଣ୍ଟର୍ ଡ୍ରୟର୍‌ ଭାଙ୍ଗି ଟଙ୍କା ଚୋରି କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା।ଏହି ଫୁଟେଜକୁ ଆଧାର କରି ପୁଲିସ ନାବାଳକର ଘର ପର୍ଯ୍ୟନ୍ତ ପହଞ୍ଚିଲା ସତ। ହେଲେ ସେ ଫେରାର୍ ହୋଇଯାଇଥିବାରୁ ବାପାମା’କୁ ବାନ୍ଧି ନେଇଛି ପୁଲିସ। ବ୍ରହ୍ମପୁର ସହରରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

By amfnews

Related Post