Sat. Nov 23rd, 2024

ସିବିଆଇ ବିବାଦ: କଂଗ୍ରେସର ଧାରଣା ସମୟରେ ଗିରଫ ହେଲେ ରାହୁଲ ଗାନ୍ଧୀ

By amfnews Oct 26, 2018 #Featured
162 Views

ନୂଆଦିଲ୍ଲୀ, ଅକ୍ଟୋବର ୨୬ :ସିବିଆଇ ସଂଗ୍ରାମ ଏବେ ରାଜନୈତିକ ସଂଗ୍ରାମର ରୂପ ନେଇଛି । କଂଗ୍ରେସ ଆଜି ଏହି ବିବାଦରେ ରାଫେଲ ଚୁକ୍ତି ସହ ଯୋଡି ସମଗ୍ର ଦେଶରେ ସିବିଆଇ କାର୍ଯ୍ୟାଳୟ ବାହାରେ ଧାରଣା ଦେଉଛି । ସେହି ସମୟରେ ଦିଲ୍ଲୀ ରାଲିରେ ନିଜେ ରାହୁଲ ଗାନ୍ଧୀ ନେତୃତ୍ୱ ନେଉଛନ୍ତି । ସେ କଂଗ୍ରେସ ନେତାଙ୍କ ସହ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ସମୟରେ ପୁଲିସ ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଛାଡି ଦିଆଯାଇ ଥିବା ସୂଚନା ମିଳିଛି । ଏହି ସମୟରେ ରାହୁଲ ନରେନ୍ଦ୍ର ମୋଦୀଙ୍କ ଉପରକୁ ସିଧା ଆକ୍ରମଣ କରିଛନ୍ତି ।

ରାହୁଲ ଅଭିଯୋଗ କରିଛନ୍ତି ଯେ, ରାଫେଲ ସୌଦାରେ ଅନୀଲ ଅମ୍ବାନୀଙ୍କୁ ଲାଭ ହୋଇଛି । ରାଫେଲ ସୌଦା ଯାଂଚରୁ ବର୍ତିବା ପାଇଁ କେନ୍ଦ୍ର ରାତାରାତି ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦେଲା । କିନ୍ତୁ କଂଗ୍ରେସ ଚୌକିଦାରକୁ ଚୋରୀ କରିବାକୁ ଦେବ ନାହିଁ । କଂଗ୍ରେସ ଅଧ୍ୟକ୍ଷ ପୁଣି କହିଛନ୍ତି କି, ହିନ୍ଦୁସ୍ତାନର ପ୍ରତ୍ୟେକ ଅନୁଷ୍ଠାନ ଉପରେ ନରେନ୍ଦ୍ର ମୋଦୀ ଆକ୍ରମଣ କରୁଛନ୍ତି । ସେ ଅନୀଲ ଅମ୍ବାନୀଙ୍କ ପକେଟରେ ଟଙ୍କା ଦେଉଛନ୍ତି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବଦଳି ନିଷ୍ପତିରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରାହୁଲ ଦାବୀ କରିଛନ୍ତି ।

ସୂଚନାନୁଯାୟୀ, ଦିଲ୍ଲୀ ବ୍ୟତୀତ, କଂଗ୍ରେସ ଉତରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା ସମେତ ଅନ୍ୟ ସ୍ଥାନରେ ସିବିଆଇ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲା । କଂଗ୍ରେସର ଏହି ଧାରଣାରେ ବିପକ୍ଷମାନେ ମଧ୍ୟ ସାଥ ଦେଇଥିବା ସୂଚନା ମିଳିଛି । କଂଗ୍ରେସ ବ୍ୟତୀତ ଟିଏମସି, ସିପିଆଇ ନେତା ମଧ୍ୟ ତାଙ୍କ ସହ ସାମିଲ ଥିଲେ ।

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦୟାଲ ସିଂହ କଲେଜ ନିକଟରୁ ରାଲି ଆରମ୍ଭ କରିଥିଲା । ସିବିଆଇ କାର୍ଯ୍ୟାଳୟ ନିକଟକୁ ଯାଉଥିବା ସମସ୍ତ ରାସ୍ତା ପୁଲିସ ବନ୍ଦ କରି ଦେଇଥିଲା । ରାହୁଲଙ୍କ ସହ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗହଲୋତ, ଆନନ୍ଦ ଶର୍ମା, ଅହମ୍ମଦ ପଟେଲ, ଦୀପେନ୍ଦର ହୁଡ୍ଡାଙ୍କ ବ୍ୟତୀତ ଟିଏମସି ସାଂସଦ ଶରଦ ଯାଦବ, ଏବଂ ସିପିଆଇ ନେତା ଡି ରାଜା ମଧ୍ୟ ତାଙ୍କ ସହ ସାମିଲ ଥିଲେ ।

କଂଗ୍ରେସର ପ୍ରଦର୍ଶନ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ପାଲଟା ଆକ୍ରମଣ କରି କହିଛନ୍ତି କି, କଂଗ୍ରେସ ପାଖରେ ଜନହିତ ପାଇଁ କୌଣସି ଖୋରାକ ନାହିଁ ତେଣୁ ସେ ଲୋକମାନଙ୍କୁ ଗୁମରାହ କରିବା ପାଇଁ ଚେଷ୍ଟା କରୁଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଥରିଟି ଯାଂଚ୍ କରୁଛି । ଆମକୁ ଯାଂଚ୍ ରିପୋର୍ଟକୁ ଅପେକ୍ଷା କରିବା ଉଚିତ୍ ।

By amfnews

Related Post