Sun. Mar 8th, 2026

ସିଂହମ ସାଜିଲେ ଓଡ଼ିଆ ଆଇପିଏସ, ମାଓବାଦୀଙ୍କ ଗଡ଼ରେ ପ୍ରଥମ ଥର ଉଡ଼ାଇଲେ ତ୍ରିରଙ୍ଗା

540 Views

ଦୀର୍ଘ ଦିନର ଭୟ ଦେଖାଇ, ରକ୍ତର ବିଭୀଷିକା ରଚାଇ ଆସୁଥିବା ମାଓବାଦୀଙ୍କୁ ଜଣେ ଆଇପିଏସ ଅଫିସର ଏବେ ଦେଇଛନ୍ତି ମୁହଁତୋଡ ଜବାବ | ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବା ମାଓବାଦୀଙ୍କ ଗଡ଼ରେ ପଶି ଜାତୀୟ ପତାକା ଉଡାଇଛନ୍ତି | ଏହି ଅଫିସର ଜଣକ ହେଉଛନ୍ତି ଡ଼ିଆଇଜି ହିମାଂଶୁ ଲାଲ |

ଲାଲବାହିନୀର ଦବଦବା ଯୋଗୁଁ ଉଡିପାରୁନଥିଲା ତ୍ରିରଙ୍ଗା | ସ୍ୱାଧୀନତାକୁ ଦଶନ୍ଧି ବିତିଯାଇଥିଲେ ବି ଲାଲବାହିନୀର ଭୟ ଯୋଗୁଁ ମାଲକାନଗିରିର ବାଲିମେଳା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟାରେ ତ୍ରିରଙ୍ଗା ଉଡିପାରୁନଥିଲା | କିନ୍ତୁ ଏଥର ପ୍ରଥମ ଥର ତ୍ରିରଙ୍ଗା ଉଡିଥିବାବେଳେ ପତାକା ଉତ୍ତୋଳନ କରିଥିଲେ ଓଡିଶା କ୍ୟାଡର ଆଇପିଏସ ହିମାଂଶୁ ଲାଲ | ଯାହାକୁ ନେଇ ବେଶ ଆଶାବାଦୀ ହୋଇପଡିଛନ୍ତି ସ୍ଥାନୀୟ ଲୋକ | ଶ୍ରୀ ଲାଲ ଆଶାର କିରଣ ଆଣିଥିବାର ଲୋକ କହିବା ସହ ଦୀର୍ଘ ଦିନ ଧରି ମାଓ ଭୟ ଧୀରେ ଧୀରେ ଅପସରି ଯାଉଥିବାର ଦେଖିବାକୁ ମିଳିଛି |

ଏଠାରେ ସୂଚନା ଥାଉ କି ବିଛିନ୍ନାଂଚଳର ଗାଁମାନଙ୍କରେ ମାଓବାଦୀଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ | ଅଗଷ୍ଟ ୧୫ରେ ଯେତେବେଳେ ତ୍ରିରଙ୍ଗା ଉଡିଥିଲା ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ନୂଆ ଡିଆଇଜିଙ୍କ ଏଭଳି କାର୍ଯ୍ୟକୁ ନେଇ ମନେ ମନେ ଖୁସି ବି ହୋଇଯାଇଥିଲେ | ଏ ବାବଦରେ ହିମାଂଶୁଙ୍କ କହିବା କଥା ପ୍ରତିଦିନ ଏକ ନୂଆ ଦିନ ହୋଇଥାଏ, ସେହିପରି ନୂଆ ପୋଷ୍ଟିଙ୍ଗ ସବୁବେଳେ ନୂଆ ନୂଆ ଆହ୍ୱାନ ଆଣିଦେଇଥାଏ ଯାହାଦ୍ୱାରା ଲୋକଙ୍କ ପାଇଁ କିଛି ନୂଆ କରିହୁଏ | ଯଦି ମୋ ପ୍ରୟାସ ଯୋଗୁଁ କିଛି ଲୋକଙ୍କ ଓଠରେ ହସ ଖେଳିଯାଇପାରେ ସେତିକି ଯଥେଷ୍ଟ |ଏଠାରେ ସୂଚନା ଥାଉ କି ହିମାଂଶୁ ଲାଲ ୨୦୦୩ ବ୍ୟାଚର ଅଧିକାରୀ ହୋଇଥିବାବେଳେ ୨୦୦୫-୦୬ରେ ମାଲକାନଗିରିରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଆସିଛନ୍ତି | ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ମଧ୍ୟ ମିଳିଛି |

By amfnews

Related Post