Sun. Apr 20th, 2025

ସାର୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦିଙ୍କୁ ପାକିସ୍ତାନ ଦେଇଥିବା ନିମନ୍ତ୍ରଣ ରକ୍ଷା କରିବନି ଭାରତ

By amfnews Nov 28, 2018 #Featured
210 Views

ନୂଆଦିଲ୍ଲୀ, ନଭେମ୍ବର ୨୮: ଇସ୍‌ଲାମାବାଦରେ ଆୟୋଜନ ହେଉଥିବା ସାର୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବ ବୋଲି ମଙ୍ଗଳବାର ଦିନ କରିଥିବା ଘୋଷଣାକୁ ଭାରତ ପ୍ରତ୍ୟାଖାନ କରିଛି।

ଜଣେ ବରିଷ୍ଠ ଭାରତୀୟ ଅଧିକାରୀ କହିଛନ୍ତି: ଭାରତ ସ୍ୱତନ୍ତ୍ର ଅତିଥି ନୁହେଁ ଯେ ଆମକୁ ନିମନ୍ତ୍ରଣ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେବ। ଭାରତ ହେଉଛି ସାର୍କ ପ୍ରକ୍ରିୟାର ଅବିଚ୍ଛେଦ୍ୟ ସଦସ୍ୟ। ସମସ୍ତ ସଦସ୍ୟଙ୍କ ସମ୍ମତି ମିଳିବା ପରେ ସାର୍କ ସମ୍ମିଳନୀ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥାଏ। ଏବଂ ତାହା ହୋଇ ନାହିଁ।

କର୍ତାର୍‌ପୁର କରିଡର ନିମନ୍ତେ ସମବେତ ଗଣମାଧ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପାକିସ୍ତାନ ଚାହୁଁଛି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବାଂଲାଦେଶ, ରାଜନୈତିକ ସଙ୍କଟରେ ଥିବା ଶ୍ରୀଲଙ୍କା ମଧ୍ୟ ଏବେ ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ଚାହୁଁନାହାନ୍ତି। ଅନ୍ୟ ଏକ ସଦସ୍ୟ ଦେଶ ଆଫଗାନିସ୍ତାନ ମଧ୍ୟ ଏଥିରେ ଯୋଗ ଦେଇ ନ ପାରେ।

ଶେଷ ଥର ପାଇଁ ମୋଦି ୨୦୧୪ରେ କାଠମାଣ୍ଡୁ ଠାରେ ଆୟୋଜିତ ସାର୍କ ସମ୍ମିଳନୀରେ ଯୋଗ ଦେଇଥିଲେ। ଉରିସ୍ଥିତ ସେନା ଛାଉଣିରେ ଆତଙ୍କବାଦୀ ଆକ୍ରମଣରେ ପରେ ଭାରତ ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ମନା କରିଥିଲା। ବାଂଲାଦେଶ, ଭୁଟାନ୍‌ ଏବଂ ଆଫଗାନିସ୍ତାନ ମଧ୍ୟ ଏହାକୁ ଅନୁସରଣ କରିବାରୁ ସାର୍କ ସମ୍ମିଳନୀ ବାତିଲ ହୋଇଥିଲା ଏବଂ ତାହା ଆଉ ଆୟୋଜନ ହୋଇ ପାରୁନାହିଁ।

By amfnews

Related Post